ପୁରୀ, ସପ୍ତାହନ୍ତ ସଟ୍ ଡାଉନ୍ ର ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନ, ବସଷ୍ଟାଣ୍ଡ ବଡ଼ଦାଣ୍ଡ, ସମୁଦ୍ରକୂଳରେ ନିର୍ଜନତାର ପରିବେଶ ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାରରେ କାଁ ଭାଁ ଶବ ସତ୍କାର ହେଉଛି । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ଦର୍ଶନ ବନ୍ଦ ରହିଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରି ସ୍ଥାନୀୟ ଶ୍ରଦ୍ଧାଳୁ ପତିତପାବନଙ୍କୁ ଦର୍ଶନ କରି ଫେରୁଛନ୍ତି । ପାଳିଆ ସେବାୟତ ମାନେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରୁଛନ୍ତି । ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ବଡ଼ଦାଣ୍ଡରେ ଖାଁ ଖାଁ ପରିବେଶ ରହିଛି । କେବଳ ରାସ୍ତାରେ ପୋଲିସ ଗାଡି ଓ ଆମ୍ବୁଲାନ୍ସ କାଁ ଭାଁ ଯାଉଥିବା ଦେଖିବାକୁ ମିଳିଛି । ମନ୍ଦିର ଚର୍ତୁପାଶ୍ୱର୍ ଶୂନଶାନ୍ ରହିଥିବା ବେଳେ ନିସ୍ତବ୍ଧତାର ବାତାବରଣ ସୃଷ୍ଟି ହୋଇଛି । ଅଧରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଚହଳି ହୋଇପଡୁଥିବା ଶ୍ରୀମନ୍ଦିର ଚର୍ତୁଦ୍ୱାର ଭକ୍ତ ଶୂନ୍ୟ ହୋଇପଡିଛି ।
ପୁରୀକୁ ୧୦ଟି ଜୋନ୍ ରେ ବିଭକ୍ତ କରି ପୋଲିସ ପଇଁତରା ମାରୁଛି । ମଙ୍ଗଳା ଘାଟ, ଅଠରନଳା, ହରେକୃଷ୍ଣପୁର, ନୂଆନଈ ନିକଟରେ ପୋଲିସର ନାକାବନ୍ଦୀ ଲାଗିଛି । ଆସନ୍ତା କାଲି ସୋମବାର ସକାଳ ୫ଟା ପରେ ଜନସାଧାରଣ ବଜାର, ହାଟରୁ ସେମାନଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିପାରିବେ ବୋଲି ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ପୁରୀ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ମଇ ୧୫ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ ଦର୍ଶନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତି ନେଇଥିଲା । ଏବେ ରାଜ୍ୟ ସରକାରଙ୍କ ଅନ୍ୟ ଏକ ନିଷ୍ପତି କ୍ରମେ ଆସନ୍ତା ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରୀ ରହିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ।