
ଭୁବନେଶ୍ୱର – ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ କମଳା ନେହେରୁ ମହିଳା ମହାବିଦ୍ୟାଳୟରେ ଆଜି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଏବଂ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସଙ୍ଗୀତ, ନୃତ୍ୟ, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଅନୁତ ହୋଇଯାଇଛି । ଏଥିରେ ରାଜ୍ୟର ବିଭିନ୍ନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୧୦୦ଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପରିଷଦର ଅଧ୍ୟକ୍ଷ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସଚିବ ଶ୍ରୀ ସୁବ୍ରତ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଦେବଜାନୀ ଧଳ, ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ ।
ସ୍ୱେଚ୍ଛାସେବୀମାନେ ମହାତ୍ମା ଗାନ୍ଧୀଙ୍କର ଦାର୍ଶନିକ ଚିନ୍ତାଧାରା, ସ୍ୱଚ୍ଛତା ଓ ସମାଜସେବା ସମ୍ବନ୍ଧରେ ବିଭିନ୍ନ ପ୍ରତିଯୋଗିତାରେ ସେମାନଙ୍କ ପାରଦର୍ଶିତା ପ୍ରତିପାଦିତ କରିଥିଲେ । ଏହି ଦିନିକିଆ କାର୍ଯ୍ୟକ୍ରମକୁ ପରିଷଦର କାର୍ଯ୍ୟକ୍ରମ ସଂଯୋଜକ ଡ. ବିନିତା ମହାନ୍ତି ଓ ଡ. ଭାନୁପ୍ରିୟା ଦାଶ ସୁଚାରୁ ରୂପେ ପରିଚାଳନା କରିଥିଲେ ।