ଯାଜପୁର – ଜଣେ ଯଦି ନିଜ କାର୍ଯ୍ୟରେ ଆତ୍ମତୃପ୍ତି ଓ ଆତ୍ମସନ୍ତୋଷ ପାଏ ତବେ ତାହାର ମାନସିକ ସ୍ଥିତି ଦୃଢ଼ ହେବା ସହ ଆତ୍ମହତ୍ୟା ପ୍ରବଣତା ହ୍ରାସ କରିଥାଏ ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ଦାସ ନିରାଶା, ମାନସିକ ଚାପ, ହତୋତ୍ସାହ, ଆର୍ଥିକ ଦୁର୍ଗତି, ଇର୍ଷା, ଲୋଭ ଓ ପରଶ୍ରୀକାତରତା ମାନସିକ ରୋଗର ଗୋଟିଏ ଗୋଟିଏ ଲକ୍ଷଣ ବୋଲି କହିଥିଲେ । ପ୍ରତିଯୋଗିତାପୂର୍ଣ୍ଣ ମନୋଭାବ ନେଇ କାର୍ଯ୍ୟ କଲାବେଳେ ଅତ୍ୟଧିକ ଆବେଗ, ଫଳପ୍ରାପ୍ତି ମଧ୍ୟ ମାନସିକ ଚାପ ବୃଦ୍ଧି କରୁଛି । ସାମ୍ପ୍ରତିକ ସମାଜରେ ଛୋଟପିଲା, ଯୁବ ସମାଜ ଅଧିକ ଚାପଗ୍ରସ୍ତ ହେବାର କାରଣ ସେମାନଙ୍କ ପରିବାର ସେମାନଙ୍କ ସହ ସମୟ ନଦେବା, ସେମାନଙ୍କ ଠାରୁ ଅଧିକ ଆଶା ରଖିବା ଯାହା ସେମାନଙ୍କୁ ବାଧ୍ୟ କରୁଛି ଚରମ ନିଷ୍ପତି ନେବାକୁ । ତେଣୁ ପ୍ରତ୍ୟେକ ପିଲା, ଯୁବକ ଓ ବୟସ୍କମାନଙ୍କୁ ଉପଯୁକ୍ତ ପରାମର୍ଶର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କେହିବା ସହ ବିଭିନ୍ନ ଉଦାହରଣର ଅବତାରଣା କରି ଶୃଙ୍ଖଳା, ଧର୍ଯ୍ୟ ଓ ଦକ୍ଷତା ବୃଦ୍ଧି ସମ୍ପର୍କରେ ଆଲୋକପାତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଆଜିର ସମାଜ ଦ୍ରୁତ ଓ ପ୍ରତିଯୋଗିତା ମୂଳକ ହୋଇଯାଇଥିବାରୁ ତୁଳନାତ୍ମକ ଭାବେ ଜଣେ ହତୋତ୍ସାହିତ ହୋଇ ନିରାଶ ହୋଇ ମାନସିକ ଅବସାଦର ଶିକାର ହେଉଛି ଏବଂ ଶେଷରେ ଆତ୍ମହତ୍ୟା କରୁଛି ବୋଲି କହିଥିଲେ । ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ ଏଭଳି ଗୋଟିଏ ଘଟଣା ଘଟୁଛି । ତେଣୁ ଏହାକୁ ସମସ୍ତଙ୍କ ସହଯୋଗ ଓ ସଚେତନତା ମାଧ୍ୟମରେ ସମାଧାନ କରିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଅରୁଣ କୁମାର ପାତ୍ର, ମାନସିକ ସ୍ୱାସ୍ଥ୍ୟ ପରାମର୍ଶଦାତା ମାନସୀ ଦାସ ପ୍ରମୁଖ ମାନସିକ ଅବସାଦର କାରଣ, ଲକ୍ଷଣ ଓ ପ୍ରତିକାର ସମ୍ପର୍କରେ ଆଲୋକପାତ କରିଥିଲେ । ପରେ କର୍ମଶାଳାରେ ବିଷଦ ଭାବେ ମାନସିକ ସ୍ୱାସ୍ଥ୍ୟର ବିକାଶ ଓ ନିରାପଦ ରଖିବା ଉପରେ ଆଲୋଚନା କରାଯାଇଥିଲେ । ଅତିରିକ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ରଥ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଓ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ କ୍ୟାସିୟର ବୈଦ୍ୟନାଥ ବିଶ୍ୱାସ, କର୍ମଚାରୀ ସୁଚିସ୍ମିତା ବେହେରା, ସୋମନାଥ ମଲ୍ଲିକ, ତାପସ ବେହେରା, ଅମର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024