କନ୍ଧମାଳ, କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ କନ୍ଧମାଳ ଜିଲ୍ଲାରେ ଶନିବାର ଓ ରବିବାର ସପ୍ତାହନ୍ତ ସଟ୍ ଡାଉନ୍ ଜାରୀ ରହିଛି । ଏହି ପରିପ୍ରେକ୍ଷୀରେ ଆଜି କନ୍ଧମାଳ ଜିଲ୍ଲାର ସଦର ମହକୁମା ଫୁଲବାଣୀ ସମେତ ସମଗ୍ର ୧୨ଟି ବ୍ଲକ ଏବଂ ଗ୍ରାମାଚଂଳରେ ସଟ୍ ଡାଉନର ପ୍ରଭାବ ପରିଲକ୍ଷିତ ହୋଇଛି । ଜିଲ୍ଲାର ସମସ୍ତ ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସେବା ବନ୍ଦ ରହିଛି । ଜିଲ୍ଲାର ସମସ୍ତ ବ୍ଲକ୍ ମୁଖ୍ୟାଳୟ ଓ ସଦର ମହକୁମା ଅଂଚଳ ଜନଗହଳି ସ୍ଥିତ ଓ ଛକ ମାନଙ୍କରେ ପୋଲିସ ପଇଁତରା ମାରିବା ସହ ମାକ୍ସ ଚେକିଂ ଓ ଯାନବାହନ ଯାଂଚ୍ ଜାରୀ ରହିଛି । କେବଳ ଜରୁରୀକାଳୀନ ସେବାକୁ ଏଥିରୁ ବାଦ୍ ଦିଆଯାଇଛି । ଫୁଲବାଣୀ ସହରରେ ଏଥିପାଇଁ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ୪ରୁ ୫ ଜଣ ବରିଷ୍ଠ ପୋଲିସ ଅଧିକାରୀ ଏହାର ତଦାରଖ କରୁଛନ୍ତି । ଜିଲ୍ଲାର ୯ଟି ସ୍ଥାନରେ ରହିଥିବା ପ୍ରବେଶ ପଥରେ ପୋଲିସ ପକ୍ଷରୁ ଯାଂଚ୍ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବାହାରୁ ଆସୁଥିବା ସନ୍ଦିଗ୍ଧ ଲୋକଙ୍କ ଦୁଇ ଦିନ ପୂର୍ବର କୋଭିଡ଼୍ ରିପୋର୍ଟ ଯାଂଚ୍ କରାଯାଉଛି । ନେଗେଟିଭ୍ ରିପୋର୍ଟ ନଥିବା ବ୍ୟକ୍ତିବିଶେଷ ମାନଙ୍କୁ ନିକଟସ୍ଥ କ୍ୱାରେଂଟାଇନ ସେଂଟରରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।