ରାଉରକେଲା – ରାଜ୍ୟରେ ସ୍ୱଚ୍ଛଭାରତ ଅଭିଯାନକୁ ନେଇ ଅନେକ ପ୍ରଚାର ପ୍ରସାର ହୋଇଥିବାବେଳେ ରାଉରକେଲା ସହର ମଧ୍ୟ ସେହି ପ୍ରତିଯୋଗିତାରେ ରହି ଖୁବ୍ ପ୍ରଚାର ପ୍ରସାର କଲା । କେନ୍ଦ୍ରସରକାର ଦେଇଥିବା କୋଟି କୋଟି ଟଙ୍କାର ଅନୁଦାନରେ ପାଇଖାନା ନିର୍ମାଣ କରାଗଲା ବୋଲି କୁହାଗଲା । ହେଲେ ବାସ୍ତବ ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏବେବି ସକାଳୁ ସଂଧ୍ୟା ଯାଏ ଲୋକେ ଖୋଲା ଖୋଲି ରାସ୍ତା କଡ ଓ ଖୋଲା ଯାଗାରେ ମଳତ୍ୟାଗ କରୁଛନ୍ତି । ଉଦାହରଣ ଭାବେ ପ୍ରଥମେ ଛେଣ୍ଡ କଲୋନୀ ଏସବିଆଇ କଳିଙ୍ଗବିହାର ସମ୍ମୁଖ ପ୍ଲଟ ଏରିଆର ପଛପାଖ ପଡିଆକୁ ନିଆଯାଇପାରେ । ଏ ଯାଗା ଠିକ୍ ସେଂଟ୍ରାଲ ପାର୍କକୁ ଲାଗି ରହିଛି । ଏଠାରେ ସକାଳୁ ରାତିଯାଏ ଖୋଲା ମଳତ୍ୟାଗ ଲାଗି ଅନେକ ଭିଡ଼ ଜମୁଛି । ଲୋକେ ଗାଡି ମୋଟର ଧରି ଏଠାକୁ ମଳତ୍ୟାଗ କରିବାକୁ ଚାଲିଆସୁଥିବା ଦେଖାଯାଉଛି । ଏପରିକି ମହିଳା, ପୁରୁଷ, ଝିଅ, ପୁଅ ମାନେ ବେଳେ ବେଳେ ସଜବାଜ ହୋଇ ମୋବାଇଲରେ ଗପି ଗପି ଆସି ଲୋକଙ୍କ ସାମ୍ନାରେ ମଳତ୍ୟାଗ କରୁଥିବା ଦେଖାଯାଉଛି । ଏମାନେ ସବୁ ଆଖ ପାଖର ବସ୍ତି ଅଂଚଳ ବାସିନ୍ଦା ବୋଲି ଜଣାପଡିଛି । ସହରରେ ଯେତେ ନେତା ସେତେ ଦଳ ଭଳି ବସ୍ତି ସଂଖ୍ୟା ମଧ୍ୟ ବଢି ଚାଲିଛି । ମୂଲ୍ୟବାନ ସରକାରୀ ଯାଗାକୁ ଦଖଲ କରିି ରାଜ୍ୟ ବାହାରର କିଛି ଲୋକ ବସ୍ତି କରି ରହୁଥିବା ବେଳେ ଆମ ନେତା ସେମାନଙ୍କୁ ଭୋଟର ତାଲିକାରେ ଯୋଡି ରାସନ କାର୍ଡ ଠାରୁ ବିଭିନ୍ନ ଯୋଜନାରେ ସାମିଲ କରିଦେଉଛନ୍ତି । ହେଲେ ସେମାନଙ୍କ ଲାଗି ପାଇଖାନାଟିଏ କରିଦେଉ ନାହାନ୍ତି । ସ୍ୱଚ୍ଛଭାରତ ଅଭିଯାନ ନେଇ ସଚେତନ କରାଉ ନାହାନ୍ତି । ଫଳରେ ସେମାନେ ରାସ୍ତା କଡ, ଖୋଲା ପଡିଆକୁ ନିଜର ଶୌଚ୍ଚାଳୟ ଭାବେ ଗ୍ରହଣ କରି ନେଇ ଅପରିଷ୍କାର ବାତାବରଣ ସୃଷ୍ଟି କରି ଚାଲିଛନ୍ତି । ଛେଣ୍ଡ କଲୋନୀରେ ଥିବା ଆରଡିଏର କେତେକ ଖାଲି ଘରକୁ ମାଲିକ ମାନେ ଖୋଲା ପକାଇ ରଖିଥିବାରୁ ସେଠାରେ କିଛି ଲୋକ ଆଶ୍ରୟ ନେଇଛନ୍ତି । ତାଙ୍କର ପାଇଖାନା ନଥିବାରୁ ସେମାନେ ଏହି ଖୋଲା ପଡିଆ ଓ ରାସ୍ତା କଡକୁ ମଳତ୍ୟାଗ ଲାଗି ଆସୁଥିବା ଜଣାପଡିଛି । ରାତି ସମୟରେ ଏମାନେ ରାସ୍ତା ଉପରେ ମଧ୍ୟ ବସିପଡୁଥିବା ଦେଖାଯାଉଛି । ଏମାନଙ୍କୁ ଦେଖି ବୁଲା ବେପାରୀ, ଠେଲା ବାଲା, ଅଟୋ ବାଲା ମଧ୍ୟ ସେହିଯାଗାକୁ ନିଜର ଏଭଳି ବ୍ୟବହାର ଲାଗି ଧରିନେଇଥିବା ଦେଖା ଯାଉଛି । ଖାଲି ଏହି ଯାଗା ନୁହେଁ ଆମ୍ବବାଗାନ ପାଖ ଓ ପୁରୁଣା ଟେଲିଫୋନ ଅଫିସ ସମ୍ମୁଖରେ ଥିବା ବସ୍ତି ଲୋକେ ମଧ୍ୟ ରାସ୍ତା କଡକୁ ଦୁର୍ଗନ୍ଧମୟ କରି ରଖିଛନ୍ତି । ଏହା ଆରଏସପି ଏରିଆରେ ଯାଉଥିଲେ ବି ସେମାନେ ଏହି ବସ୍ତି ବାଲାଙ୍କୁ ଏନେଇ ତାଗିଦ୍ କରିବାକୁ ଭୟ କରୁଥିବା କୁହାଯାଉଛି । ଏମାନଙ୍କ ପଛରେ ପଲିଟିକାଲ ଶକ୍ତି ରହିଥିବାବେଳେ ପ୍ରଶାସନ ଏସବୁ ପ୍ରତି ସଂପୁର୍ଣ ଆଖି ବୁଜି ଦେଇ କେବଳ ସ୍ୱଚ୍ଛ ଭାରତ ଅଭିଯାନର ପ୍ରଚାର ଚଳାଇଛି । ଯଦି ହେଲମେଟ ବିନା ପେଟ୍ରୋଲ ନାଁ ତେବେ ବିନା ପାଇଖାନାରେ ସରକାରୀ ସୁବିଧା ସୁଯୋଗ ନାଁ ନେଇ ସ୍ଲୋଗାନ ଦିଆଯାଇପାରିଲେ ହୁଏତ କିଛିଟା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସାଦାରଣରେ ମତ ପ୍ରକାଶ ପାଇଛି ।
Related Stories
November 24, 2024
November 24, 2024