ଗଞ୍ଜାମ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଶେରଗଡ଼କୁ ଏନଏସି ଘୋଷଣା ନେଇ ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲା । ଶେଷରେ ଏହି ସ୍ୱପ୍ନ ସାକାର ହେବାକୁ ଯାଉଛି । ଶେରଗଡ଼କୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ସରକାରୀ ସ୍ତରରେ ବର୍ତମାନ ପ୍ରସ୍ତୁତି ଆରମ୍ଭ ହୋଇଥିବା ଜଣାପଡିଛି । ଶେରଗଡ଼ ପଚାଂୟତ ଅଧିନରେ ୯ଟି ରାଜସ୍ୱ ଗ୍ରାମ ରହିଛି । କିନ୍ତୁ, ସୀମିତ ସମ୍ବଳ ମଧ୍ୟରେ ଉନ୍ନୟନ ସମ୍ଭବପର ହୋଇପାରୁନଥିବାରୁ ଏହାକୁ ଏନଏସି ଘୋଷଣା ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ଆଧାର କରି ନଗର ଉନ୍ନୟନ ସଚିବ ଜିଲ୍ଲାପାଳଙ୍କୁ ( ପତ୍ରାଙ୍କ ନଂ ୫୮୩/୧୮.୦୩.୨୧) ତଥ୍ୟ ସମ୍ବଳିତ ଚିଠି ଜାରୀ କରିଥିଲେ । ଏହା ସହ ଅଧିକ ତଥ୍ୟ ପ୍ରଦାନ ପାଇଁ ସୂଚନା ଦେବାକୁ ସେଥିରେ ଉଲ୍ଲେଖ କରାଯାଇଥିଲା । ଏହା ପରେ ଗଞ୍ଜାମ ଜିଲ୍ଲାପାଳ ଏକ ଚିଠି କରି (ପତ୍ରାଙ୍କ ନଂ ୭୪୬/୨୪.୦୪.୨୧) ରେ ଶେରଗଡ଼ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶେରଗଡ଼ ପଂଚାୟତକୁ ଏନଏସି ଘୋଷଣା ଲାଗି ଆନୁଷଙ୍ଗିକ ତଥ୍ୟ ଫର୍ମ ପୂରଣ କରି ବିଧିବଦ୍ଧ ଭାବେ ସୂଚନା ଦେବାକୁ ଏଥିରେ ଉଲ୍ଲେଖ କରାଯାଇଛି । ପ୍ରସ୍ତାବିତ ଫର୍ମରେ ଜନସଂଖ୍ୟା, କେତୋଟି ଗ୍ରାମକୁ ସାମିଲ୍ କରାଯିବ । କେଉଁ କେଉଁ କାର୍ଯ୍ୟାଳୟ ରହିଛି ଓ ଲୋକଙ୍କ ଆର୍ଥିକ ସ୍ଥିତି ସମେତ ଏଭଳି ଭାବେ ବିଷୟରେ ତଥ୍ୟ ଦେବାକୁ କୁହାଯାଇଛି । ଶେରଗଡ଼କୁ ଏନଏସି ଘୋଷଣା ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବାରୁ ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।