ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଆଜି ନୂଆ ୧୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି କରୋନାର ଦ୍ୱିତୀୟ ଲହରରେ ଅଦ୍ୟାବଧି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦ ରହିଛି । ବର୍ତମାନ ସୁଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୫୮ ରହିଛି । ସେହିପରି ଜିଲ୍ଲାରେ ୪୫ ବର୍ଷରୁ ଅଧିକ ଓ ୬୦ ବର୍ଷ ବୟସରୁ କମ୍ ଜନସାଧାରଣଙ୍କ ମଧ୍ୟରୁ ୪ ଲକ୍ଷ ୫୨ ହଜାର ୧୪୬ ଜଣ ପ୍ରଥମ ଡ଼ୋଜ୍ କୋଭିଡ଼୍ ଟୀକା ନେଇଥିବା ବେଳେ ୬୧ ହଜାର ୯୮୩ ଜଣ ଦ୍ୱିତୀୟ ଡ଼ୋଜ୍ ଟୀକା ନେଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ସଂକ୍ରମଣ ବଢୁଥିବାରୁ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ଆଗୁଆ ଦୋକାନ ବଜାର ବନ୍ଦ ନିଷ୍ପତିକୁ ସାଧାରଣରେ ସ୍ୱାଗତ କରାଯାଇଛି । ଜିଲ୍ଲାର ବିଭିନ୍ନ ବ୍ୟବସାୟୀ ସଂଘ ଓ ବୁଲା ବିକାଳୀ ସଂଘ ସହରାଚଂଳରେ ପ୍ରତ୍ୟେହ ଦିନ ୨ଟାରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ନିଷ୍ପତି ନେଇଥିବାରୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାର ପ୍ରଶଂସା କରିଛନ୍ତି । ଏହାକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରୀ କରାଯାଇଛି । ସେହିପରି ଗତକାଲି ଅପରାହ୍ନରେ ବ୍ରହ୍ମପୁର ଏମକେସିଜି କୋଭିଡ଼୍ ହସ୍ପିଟାଲରେ ଅକ୍ସିଜେନ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ଅନୁଧ୍ୟାନ କରିଛନ୍ତି । ଆବଶ୍ୟକତା ଅନୁଯାୟୀ ଅକ୍ସିଜେନ ସିଲିଣ୍ଡର ମହଜୁଦ୍ ରହିଛି । ଏହାର ପରିଚାଳନା ନିମନ୍ତେ ଅଧିକାରୀ ମାନେ ଠିକ୍ ଭାବେ ଦାୟୀତ୍ୱ ନିର୍ବାହ କରୁଛନ୍ତି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ଜିଲ୍ଲାର କୋଭିଡ଼୍ ସ୍ଥିତି ନେଇ ଗତକାଲି ରାତିରେ ଜିଲ୍ଲାର ସାଂସଦ ଓ ବିଧାୟକ ମାନଙ୍କ ସହିତ ଆଲୋଚନା କରିଛନ୍ତି ।