ଜୟପୁର, କରୋନାର ଦ୍ୱିତୀୟ ଲହର ଏବେ ସବୁଆଡେ ଅସ୍ତବ୍ୟସ୍ତ କରୁଛି ତାକୁ ମାତ୍ ଦେବା ପାଇଁ ସରକାର ଅନେକ କୋଭିଡ ନିୟମ ଜାରି କରିଛନ୍ତି । କେଉଁଠି ନାଇଟ କର୍ଫ୍ୟୁ ତ କେଉଁଠି ସଟ ଡାଉନ ଭଳି ପଦକ୍ଷେପ ନେଇଛନ୍ତି । କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ଯୋଗୁଁ ଜନଗହଳିକୁ ଦୃଷ୍ଟିରେ ରଖି ଶବ ସତ୍କାର, ଵିଵାହ ଉତ୍ସବ ଭଳି କାର୍ଯ୍ୟକ୍ରମରେ କିଛି ନିୟମ ଲାଗୁ କରିଛନ୍ତି । ହେଲେ ନିୟମକୁ ଭଙ୍ଗ କରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଠାରେ ଗତକାଲି ଚାଲିଥିଲା ଏକ ବାହାଘର ଭୋଜି ଭାତ । ଏହି ଭୋଜିରେ ପ୍ରାୟ ୫୦୦ ଲୋକ ରୁଣ୍ଡ ହୋଇଥିଲେ । କୋଭିଡ୍ ନିୟମକୁ ଖୁଲମଖୁଲା ଉଲ୍ଲଙ୍ଘନ ହେଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ଜୟପୁର ତହସିଲଦାର ପ୍ରଧାନ ଟୁଲି ଆମାଙ୍କ ନିର୍ଦ୍ଦେଶ କ୍ରମେ ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ ଏବଂ ଟିମ୍ ସେଠାରେ ଚଢ଼ଉ କରିଥିଲେ । ପୋଲିସକୁ ଦେଖି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ ଲୋକେ । ବିବାହ କାର୍ଯ୍ୟକ୍ରମକୁ ବନ୍ଦ କରି ଆୟୋଜକ ଚନ୍ଦ୍ର ହରିଜନଙ୍କ ଠାରୁ ୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ । ଆଗକୁ ମଧ୍ୟ ଏଭଳି ଅମାନିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଥାନାଧିକାରୀ ସଞ୍ଜୟ କୁମାର ମଣ୍ଡଳ ।