ଗଞ୍ଜାମ, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଶେରଗଡ଼ ବ୍ଲକ ଗସ୍ତରେ ଆସି ପଂଚାୟତ ପ୍ରତିନିଧି ମାନଙ୍କୁ ନେଇ କୋଭିଡ୍ ସମୀକ୍ଷା ବୈଠକ କରିଛନ୍ତି । ପଂଚାୟତ ପ୍ରତିନିଧି ମାନେ କରୋନା ଯୁଦ୍ଧରେ ସେନା ସାଜି ଯୁଦ୍ଧ କଲେ ଗତବର୍ଷ ଭଳି ଏଥର ମଧ୍ୟ କରୋନା ଉପରେ ରୋକ୍ ଲଗାଯାଇପାରିବ ବୋଲି ବୈଠକରେ ମତବ୍ୟକ୍ତ କରିଥିଲେ ଜିଲ୍ଲାପାଳ । ତେବେ ଜନସାଧାରଣ ସହଜରେ ଏହାକୁ ଗ୍ରହଣ କରିପାରୁନାହାଁନ୍ତି । କାରଣ ଗତବର୍ଷ କରୋନା ମୁକାବିଲା ପାଇଁ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନବାଡିକର୍ମୀ, ସହାୟିକା, ଆଶା କର୍ମୀ, ଆତ୍ମସହାୟିକାଦଳ, ସ୍ୱାସ୍ଥ୍ୟ କର୍ମୀ ଓ ସରକାରୀ କର୍ମଚାରୀ ନିଜ ଜୀବନକୁ ଜଳାଞ୍ଜଳି ଦେଇ ପୁରାଦମରେ କରୋନା ବିରୁଦ୍ଧରେ କାର୍ଯ୍ୟ କରିଥିଲେ ଓ ଏହାର ଶ୍ରେୟ ନେଇଥିଲେ ପଂଚାୟତ ପ୍ରତିନିଧି ମାନେ । ଅବଶ୍ୟ କିଛି ପଂଚାୟତରେ ପଂଚାୟତ ପ୍ରତିନିଧି ମାନେ ଟିଏମସି ଗୁଡିକରେ ଭଲକାମ ଓ ଉତମ ସେବା ଯୋଗାଇ ଥିବା ବେଳେ ଅନେକ ପଂଚାୟତରେ ସଂଗରୋଧ କେନ୍ଦ୍ର ଗୁଡିକରେ କରୋନା ରୋଗୀ ମାନେ ନାହିଁ ନଥିବା ହଟହଟାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଥିଲା । ଟିଏମସି କେନ୍ଦ୍ର ଗୁଡିକ ବନ୍ଦ ହେବା ପରେ ପ୍ରତିନିଧି ମାନେ କେନ୍ଦ୍ର ପାଇଁ ଆସିଥିବା ଖଟ ଶେଯ ତକିଆ ବେଡସିଟ, ସୋଲାର ଲାଇଟ, ବାଲ୍ଟିମଗ, ଜେନେରେଟର, ଇନଭଟର ଓ ଫେନ ପ୍ରଭୃତି ବହୁଦାମୀ ଜିନିଷକୁ ଲୋକ ଲଗାଇ ମଧ୍ୟ ଚୋରୀ କରିନେଇଥିବା ଅଭିଯୋଗ ହେଉଛି । ଏପରି ସ୍ଥଳେ ପଂଚାୟତ ପ୍ରତିନିଧି ମାନେ କିପରି ସେନା ସାଜିବେ ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।
ଅନ୍ୟ ପକ୍ଷରେ ଗତଥର ଭଳି ଦ୍ୱିତୀୟ ଲହରରେ ଶିକ୍ଷକ, ଶିକ୍ଷୟତ୍ରୀ, ଅଙ୍ଗନବାଡି କର୍ମୀ, ସହାୟିକା, ସ୍ୱାସ୍ଥ୍ୟ କର୍ମୀ, ଏସଏଚଜି ସରକାରୀ କର୍ମଚାରୀ ମାନଙ୍କୁ ସ୍କ୍ରିନିଂ, ସର୍ଭେ ଇତ୍ୟାଦି କାର୍ଯ୍ୟରେ ଏ ପର୍ଯ୍ୟନ୍ତ ନିୟୋଜିତ କରାଯାଇନାହିଁ । ତେବେ କେଉଁ ଭରସାରେ କୁହାଯାଇପାରିବ, ଶେରଗଡ ବ୍ଲକରେ କରୋନା ବିରୁଦ୍ଧରେ ସଫଳ ସଂଗ୍ରାମ କରାଯାଇ ପାରିବ ବୋଲି ? ଏହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏଣେ ସପ୍ତାହକ ମଧ୍ୟରେ କରୁଣା ସାହୁ, କେରାମାରାଓ, ବାତଲ ଆପାରା ଓ ସୁନୀତା ସେଠୀଙ୍କ ସମେତ କେତେକଙ୍କ କରୋନାସନ୍ଧିଗ୍ଧ ରୂପେ ମୃତ୍ୟୁ ଘଟିଛି । ଏହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।