
ଗଞ୍ଜାମ, ସଟ୍ ଡାଉନ୍ ଯୋଗୁଁ ଗତ ଦୁଇ ହେଲା ବ୍ରହ୍ମପୁର ସହରରେ ରାସ୍ତାଘାଟ ଶୂନଶାନ୍ ହୋଇପଡିଥିଲା । ଦୋକାନ ବଜାର ଯାନବାହନ ଚଳାଚଳ ବନ୍ଦ ରହିଥିଲା । ଇତିମଧ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପକ୍ଷରୁ ଜାରୀ କରାଯାଇଥିବା ତଥ୍ୟ ମୁତାବକ, ସହରରେ ଗତକାଲି ଗୋଟିଏ ଦିନରେ ସର୍ବାଧିକ ୬୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ସୁଦ୍ଧା ବିଏମସି ଅଂଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ରହିଥିବା ବେଳେ ଆଜି ଏହି ସଂଖ୍ୟା ୨୦୩ କୁ ବୃଦ୍ଧି ପାଇଛି । ଏହା ଭିତରେ ୨୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କୌଣସି କୋଭିଡ଼୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇନଥିବା ଜଣାପଡିଛି । କରୋନା ଦ୍ୱିତୀୟ ଲହରର ବ୍ୟାପକ ପ୍ରଭାବକୁଦୃଷ୍ଟିରେ ରଖି ସହରବାସୀଙ୍କୁ ଆହୁରି ସଚେତନ କରିବାର ଆବଶ୍ୟକତା ରହିଛି । ବିଏମସିର ତଥ୍ୟ ମୁତାବକ, ନୂଆ ଚିହ୍ନଟ କୋଭିଡ଼୍ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳିକା ରହିଛନ୍ତି । ସେମାନେ ହେଲେ ଉତ୍କଳ ସିନେମା ହଲ୍ ନିକଟ ଗୋଦାବରୀ ସାହିର ଜଣେ ୧୦ ବର୍ଷିୟା ଓ ହିଲ୍ ପାଟଣାର ଜଣେ ୧୭ ବର୍ଷିୟା ନାବାଳିକା ରହିଛନ୍ତି ।