-
ଏସିଆ ମହାଦେଶ ହାତୀ ପ୍ରଦର୍ଶନୀରେ ଯୋଗଦେଇ ସେ ହୋଇଥିଲେ ପୁରସ୍କୃତ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ହାତୀ ଉପରେ ଶ୍ରୀକୃଷ୍ଣଲୀଳା ପଟ୍ଟଚିତ୍ର କରି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଅର୍ଜନ କରିଥିବା ଚିତ୍ରଶିଳ୍ପୀ ପ୍ରଣବ ନାରାୟଣ ଦାସଙ୍କର ରବିବାର ଅକାଳ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ବର୍ଷ ହୋଇଥିଲା । ତାଙ୍କ ଘର ଚନ୍ଦନପୁର ନିକଟସ୍ଥ ଦାଣ୍ଡସାହିରେ । ହଠାତ ଅସୁସ୍ଥ ହୋଇ ପଡିବାରୁ ପୁରୀର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ନିଆଯିବା
ବେଳେ ରାସ୍ତାରେ ପ୍ରଣବଙ୍କର ବିୟୋଗ ହୋଇଛି । ପୁରୀ ରାୟବାହାଦୂର ଲେନ୍ରେ ପରିବାର ସହ ସେ ରହୁଥିଲେ।
ଦାଣ୍ଡସାହିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ସମେତ ପୁତ୍ର ଏବଂ କନ୍ୟା ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୁମ୍ବାଇରେ ଅନୁଷ୍ଠିତ ଏସିଆ
ମହାଦେଶ ହାତୀ ପ୍ରଦର୍ଶନୀରେ ଯୋଗଦେଇ ସେ ପୁରସ୍କୃତ ହୋଇଥିଲେ । ୫ଫୁଟ ଉଚ୍ଚତା ଓ ୫ଫୁଟ ଲମ୍ବ ବିଶିଷ୍ଟ ଏକ
ପଟ୍ଟଚିତ୍ର ହାତୀ ନିର୍ମାଣ କରି ସେଥିରେ ସେ କୃଷ୍ଣଲୀଳା ଚିତ୍ର ସମେତ ଗିରି ଗୋବର୍ଦ୍ଧନ ଏବଂ କାଳୀୟ ଦଳନ ଚିତ୍ର
ଅଙ୍କନ କରିଥିଲେ। ତାଙ୍କ ଦ୍ବାରା ନିର୍ମିତ ହାତୀ ଲଣ୍ଡନ ଯିବାପାଇଁ ମନୋନୀତ ହୋଇଥିଲା ।