ଗଞ୍ଜାମ,ଗଞ୍ଜାମ ଜିଲ୍ଲା ଗୋପାଳପୁର ଅଂଚଳରେ ଚାକିରୀ ଦେବା ନାମରେ ଜଣେ ଯୁବକ ୫୩ ହଜାର ଟଙ୍କା ହଡ଼ପ କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଗୋପାଳପୁର ଅଂଚଳର ଜଗଦିଶ ବେହେରା । ଘଟଣାରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଅଭିଯୋଗ ଅନୁଯାୟୀ, ପୋଲିସ କେସ୍ ନଂ ୭୪/୨୧ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି । ୨୦୧୯ ମସିହାରେ ଜଗଦିଶ ପୋଲସରା ଅଂଚଳର ସାଗର କୁମାର ଦାଶଙ୍କୁ ଶିକ୍ଷା ବିଭାଗରେ ଚାକିରୀ କରାଇଦେବାର ପ୍ରଲୋଭନ ଦେଖାଇ ୫୩ ହଜାର ଟଙ୍କା ନେଇଥିଲେ । କିନ୍ତୁ, ଚାକିରୀ ନହେବାରୁ ସାଗର ବାରମ୍ବାର ଟଙ୍କା ମାଗୁଥିଲେ । ଅଭିଯୁକ୍ତ ଜଗଦିଶ ଟଙ୍କା ଫେରସ୍ତ ନକରି ଭଣ୍ଡେଇ ଚାଲିଥିଲେ । ଗତ ଗୁରୁବାର ଦିନ ସାଗର ଅଭିଯୁକ୍ତର ଘରକୁ ଯାଇ ଟଙ୍କା ମାଗିବାରୁ ସେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ସାଗର ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି ।