-
ମହାପ୍ରଭୁଙ୍କ ନୀତିକାନ୍ତି ପୂର୍ବଭଳି ପାଳନ ହେବ,
-
୬ ମଇ ୨୦୨୧ ପରିବର୍ତ୍ତିତ ସ୍ଥିତିର ସମୀକ୍ଷା ନିଷ୍ପତ୍ତି,
କୋଭିଡ଼-୧୯ର ଦ୍ଵିତୀୟ ଲହର ଜନିତ ବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା , ଆରକ୍ଷୀ ଅଧିକ୍ଷକ ଡଃ କନୱର ବିଶାଲ୍ ସିଂ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ ଓ ମନ୍ଦିର ପ୍ରଶାସନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।କୋଭିଡ଼-୧୯ ସଂକ୍ରମଣର ଗୁରୁତର ଆହ୍ଵାନ ର ମୁକାବିଲା କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା ଯେ, କୋଭିଡ଼-୧୯ ସଂକ୍ରମଣର ଆହ୍ବାନ ସତ୍ତ୍ୱେ ଶ୍ରୀ ଜଗନ୍ନାଥ ମନ୍ଦିରର ବର୍ଷବ୍ୟାପୀ ପରମ୍ପରାକୁ ସମ୍ମାନ ଦେଇ ମହାପ୍ରଭୁଙ୍କ ନୀତିକାନ୍ତି ପାଳନ ଉପରେ ଆବଶ୍ୟକ ପଦକ୍ଷେପ ନିଆଯିବ ।ତେଣୁ ନିର୍ବିଘ୍ନରେ ଏହାର ଅନୂପାଳନ ପାଇଁ, ମହାପ୍ରଭୁଙ୍କ ପ୍ରତ୍ୟହ ସେବାପୂଜା ନିର୍ବାହ କରୁଥିବା ସେବାୟତ ମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗୁରୁତ୍ବକୁ ଦୃଷ୍ଟି ଦିଆଯିବ। ପୁନଶ୍ଚ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କିତ ନୀତି ପାଳନ ପବିତ୍ର ଅକ୍ଷୟ ତୃତୀୟା (ମଇ ୧୫) ଠାରୁ ଆରମ୍ଭ ହେବ ।
ଏହି ସବୁ ବିଷୟକୁ ଦୃଷ୍ଟିରେ ରଖି ନିମ୍ନୋକ୍ତ ପଦକ୍ଷେପମାନ ନେବାକୁ ନିଷ୍ପତ୍ତି ନିଆଗଲା ।
୧. ଆଜିଠାରୁ ଆଗାମୀ ମଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରଖାଯିବ । ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ସହାୟତାରେ ପରିଚାଳିତ ହେବ ।
୨. କୋଭିଡ଼-୧୯ ସଂକ୍ରମଣକୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବା ନିମନ୍ତେ, ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ଶ୍ରୀମନ୍ଦିର କର୍ମଚାରୀଙ୍କ ନିୟମିତ ଯାଞ୍ଚ ଓ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ।
୩. ନୀଳାଚଳ ଭକ୍ତ ନିବାସ, ପୁରୀ ଠାରେ ଖୋଲାଯାଇଥିବା କୋଭିଡ଼ ଯତ୍ନ କେନ୍ଦ୍ରକୁ ଆବଶ୍ୟକତା ଅନୁଯାୟୀ ଆହୁରି ସୁଦୃଢ଼ କରାଯିବ ଓ ଏହାର ସୁପରିଚାଳନା ପାଇଁ ନିୟମିତ ସମୀକ୍ଷା ମଧ୍ୟ କରାଯିବ ।
୪. ଗୁରୁତର ରୋଗୀଙ୍କୁ ସୁରୁଖୁରରେ ଭୁବନେଶ୍ୱରକୁ ଚିକିତ୍ସା ନିମନ୍ତେ ପଠାଇବା ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଉନ୍ନୟନ ପ୍ରଶାସକ ଏଥିପାଇଁ ସଂଯୋଜନା ଅଧିକାରୀ ରୂପେ କାର୍ଯ୍ୟ କରିବେ । ଭୁବନେଶ୍ଵର ସ୍ଥିତ ସମ୍ ତଥା ଅନ୍ୟାନ୍ୟ ହସ୍ପିଟାଲ୍ ରେ ଏହି ବ୍ୟବସ୍ଥା ତ୍ୱରାନ୍ୱିତ ହେବ ।
୫. ମାସ୍କ ଓ ସାନିଟାଇଜର୍ ର ନିୟମିତ ବ୍ୟବହାର ଓ ଶାରୀରିକ ତଥା ସାମାଜିକ ଦୂରତ୍ବ ରକ୍ଷା ଅଭ୍ୟାସକୁ ବହୁଳ ରୂପେ ଆଦୃତ କରିବା ଆଦି ସଚେତନତା ଅଭିଯାନକୁ ବ୍ୟାପକ କରାଯିବ ।
୬. ମହାପ୍ରଭୁଙ୍କ ଦୈନଦିନ ସେବାପୂଜା ନିର୍ବାହ କରୁଥିବା ତଥା ରଥଯାତ୍ରା ନିମନ୍ତେ ରଥ ନିର୍ମାଣରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଟୀକାକରଣ ଉପରେ ବିଶେଷ ଧ୍ୟାନ ଦିଆଯିବ ।
୭.ପରମ୍ପରା ଅନୁଯାୟୀ ରଥ ନିର୍ମାଣର ସମସ୍ତ କାର୍ଯ୍ୟକ୍ରମ ଯଥାବିଧି ଜାରି ରହିବ । ଆଗାମୀ ଚନ୍ଦନ ଯାତ୍ରା,ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ବ୍ୟବହାର ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମାସ୍କ ଏବଂ ସାନିଟାଇଜର୍ କିଣିବା ନିମନ୍ତେ ଆଗୁଆ ପଦକ୍ଷେପ ନିଆଯିବ ।
ଆଗାମୀ ମଇ ମାସ ୬ ତାରିଖରେ ପରିବର୍ତ୍ତିତ ସ୍ଥିତିର ସମୀକ୍ଷା ପାଇଁ ପୁନଶ୍ଚ ବୈଠକ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।
ପୁରୀବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନର ଶ୍ରୀ ଜଗନ୍ନାଥ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ନିଷ୍ପତ୍ତି କୁ ସ୍ୱାଗତ କରିଥିବାର ସୂଚନା ଶ୍ରୀ ଜଗନ୍ନାଥ ସେନା ତରଫରୁ ଆବାହକ ଶ୍ରୀ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।