ଗଞ୍ଜାମ, ଗତକାଲି ଅପରାହ୍ନରେ ଭଞ୍ଜନଗର ନିକଟସ୍ଥ କାଳିଆମ୍ବା ଜଙ୍ଗଲରୁ ବ୍ରହ୍ମପୁର ଭଞ୍ଜନଗର ରାସ୍ତା ଉପରକୁ ଏକ ବାରହା ଚାଲି ଆସିଥିଲା । ପ୍ରଥମେ ସେ ଶାଳୁଆପଲ୍ଲୀ ନିକଟରେ ଥିବା ଏକ କଲଭର୍ଟ ତଳେ ଲୁଚି ରହିଥିବା ଏକ ବୁଲା କୁକୁରକୁ ଆକ୍ରମଣ କରିବାକୁ ଉଦ୍ୟମ କରି ମୁଦୁଲିପଲ୍ଲୀ ଗାଁ ଆଡକୁ ମୁହାଁଇଥିଲା । ପୋଖରୀକୁ ଯାଉଥିବା କିଛି ଗ୍ରାମବାସୀ ବାରହାଟିକୁ ଦେଖି ଘଉଡାଇବାକୁ ଚେଷ୍ଟା କରିବାରୁ ସେ ଏକ ବୁଦା ମୂଳରେ ଲୁଚି ଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ବାରହାଟିକୁ ଦେଖିବାକୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା । ୨ ଘଂଟା ଧରି ଲୋକେ ତା ଉପରକୁ ଢ଼େଲା ପଥର ମାରିଥିଲେ । ଆଉ କେତେକ ମୋବାଇଲରେ ବାରହାର ଫଟୋ ଓ ଭିଡ଼ିଓ ଉତୋଳନ କରିଥିଲେ । ମଝିରେ ମଝିରେ ଢ଼େଲା ମାଡରେ ଉତକ୍ଷିପ୍ତ ବାରହାଟି ଲୋକଙ୍କ ଆଡକୁ ମାଡି ଆସୁଥିଲା । ସେହି ରାସ୍ତା ଦେଇ ଯାନବାହନରେ ଯାଉଥିବା ଲୋକେ ସେଠାରେ ବାରହା ଦେଖିବାକୁ ଅଟକି ଥିଲେ । ପରେ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ସେଠାରୁ ଘଉଡାଇବା ସହ ବାରହକୁ ଜଙ୍ଗଲକୁ ଯିବାକୁ ରାସ୍ତା ଛାଡିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ । ତଥାପି ଲୋକେ ଏହାକୁ ମାନି ନଥିଲେ । ବାରହାଟି ଉତକ୍ଷିପ୍ତ ହୋଇ ରାସ୍ତା ଉପରେ ଛିଡା ହୋଇଥିବା ସୁବାଷ ବିଶୋୟୀ (୫୫)ଙ୍କୁ ଆକ୍ରମଣ କରିଥିଲା । ସମସ୍ତେ ସେଠାରେ ଉପସ୍ଥିତ ରହିଥିଲେ ମଧ୍ୟ ହିଂସ୍ରମୁଖା ବାରହା କବଳରୁ ସୁବାଷଙ୍କୁ ଉଦ୍ଧାର କରିବାକୁ କେହି ସାହାସ ଜୁଟାଇ ପାରିନଥିଲେ । ରାସ୍ତା କଡ଼ରେ ବାରହାଟି ତାଙ୍କୁ ଝୁଣି ପକାଇ ଥିଲା । ନିକଟରେ ଥିବା କୁକୁର ବାରହା ପାଖକୁ ଯିବାକୁ ଚେଷ୍ଟା କରୁଥିବା ବାରହାଟି ତାକୁ ମଧ୍ୟ ଆକ୍ରମଣ କରିଥିଲା । ଲୋକେ ପାଟିତୁଣ୍ଡ କରିବା ସହ ପଥର ମାଡ଼ କରିଥିଲେ । ସୁବାଷ ଅଚେତ୍ ହୋଇଯିବାରୁ ବାରହାଟି ତାଙ୍କୁ ଛାଡି ଜଙ୍ଗଲ ଆଡକୁ ପଳାଇ ଯାଇଥିଲା । ଏହାପରେ କାଳିଆମ୍ବା ବନପାଳ ଶରତ କୁମାର ମହାନ୍ତି ବନରକ୍ଷୀ ଓ ଗ୍ରାମବାସୀଙ୍କ ସହାୟତାରେ ସୁବାଷଙ୍କୁ ସେଠାରୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଭଞ୍ଜନଗର ଡ଼ାକ୍ତରଖାନାରେ ଭର୍ତି କରାଯାଇଛି ।