
ହରିଚନ୍ଦନପୁର,କେନ୍ଦୁଝର ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହରିଚନ୍ଦନପୁର ବ୍ଲକର ଦୈତାରୀ ମାଇନ୍ସ ନିକଟରେ ବସବାସ କରୁଥିବା ଆଦିବାସୀ ଲୋକେ ସରକାରୀ ଯୋଜନା ସହ ମାଇନ୍ସର ସାହାଯ୍ୟରୁ ବଞ୍ଚିତ ହୋଇ ଲୁଣ ଭାତରେ ପେଟ ପୋଷୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଆଜକୁ ଦୀର୍ଘ ବର୍ଷ ହେବ ଏଠାରେ ଅନେକ ଆଦିବାସୀ ମହ୍ଲାର ସଂପ୍ରଦାୟର ପରିବାର ବସବାସ କରୁଛନ୍ତି । ଆଦିବାସୀ ଶ୍ରେଣୀର ଲୋକଙ୍କ ପାଇଁ ବାର୍ଷିକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି ସତ । ସବୁ ଯୋଜନା ଥାଇ ମଧ୍ୟ ତାହାର ବାସ୍ତବ ଚିତ୍ର ଦେଖିବାକୁ ଗଲେ ସମ୍ପୂର୍ଣ୍ଣ ଓଲଟା । ଦୀପ ତଳ ଅନ୍ଧାର ଭଳି ଦୈତାରୀରେ ବସବାସ କରୁଥିବା ଆଦିବାସୀ ଶ୍ରେଣୀର ଲୋକଙ୍କ ଭିଟାମାଟିରେ ଦୈନିକ ଓଏମସି ମାଇନ୍ସ ହଜାର ହଜାର କୋଟି ଟଙ୍କା ଲାଭ ପାଉଛି । ହେଲେ ସେହି ଆଦିବାସୀ ପରିବାରର ଲୋକେ ପ୍ରତ୍ୟେକ ଦିନ ମାଇନ୍ସର ଧୂଳି ଧୂଆଁରେ ଅତିଷ୍ଠ ସହ ପ୍ରଭାବିତ ହେଉଥିବା ବେଳେ ମାଇନ୍ସ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନଦେଖିବା ଭଳି ରହୁଛନ୍ତି । ଯାହାକୁ ନେଇ ସେମାନଙ୍କ ଦରିଦ୍ରତା ଦିନକୁ ଦିନ ସୀମା ଟପିବାକୁ ବସିଥିବା ଦୃଶ୍ୟ ଏବେ ଦେଖିବାକୁ ମିଳିଛି ।
ଏଥିସହ ଉକ୍ତ ପରିବାର ଲୋକେ ସରକାରଙ୍କ ସମସ୍ତ ଯୋଜନାରୁ ବଞ୍ଚିତ ହୋଇ ଅତି ଦୁର୍ଦ୍ଦିନରେ ଦିନ କାଟୁଥିଲେ ମଧ୍ୟ ସେମାନଙ୍କ ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ । ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଭଙ୍ଗା ଝାଟିମାଟି ଘରେ ଅତି ଦୟନୀୟ ଅବସ୍ଥାରେ ଅନେକ ଆଦିବାସୀ ପରିବାର ଲୋକେ ମୁଣ୍ଡ ଗୁଞ୍ଜୁଥିବା ସହ ଦୈନିକ କାମ ନପାଇ ଲୁଣ ଭାତରେ ଖାଇ ପେଟ ପୁରାଉଥିବା ଦେଖିବାକୁ ମିଳିଛି । ସରକାରୀ ବିଭିନ୍ନ ଯୋଜନା ଥାଇ ମଧ୍ୟ କେତେକ ଖାମଖିଆଲି ମନୋଭାବ ରଖୁଥିବା ସରକାରୀ ବାବୁଙ୍କ ପାଇଁ ଏହି ଭଳି କେତେକ ପରିବାର ଆଖି ନଦେଖିଲା ଭଳି ଅବସ୍ଥାରେ ଜୀବନ ବିତାଉଛନ୍ତି । ତେଣୁ ଏଥିପ୍ରତି ପ୍ରଶାସନ ଓ ଓଏମସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯଥା ସମ୍ଭବ ଉକ୍ତ ପରିବାରକୁ ସାହାଯ୍ୟ ଯୋଗାଇ ଦେବାକୁ ବୁଦ୍ଧିଜୀବି ଓ ଜନସାଧାରଣରେ ଦାବି ହୋଇଛି । ଦେଖିବାକୁ ବାକି ରହିଲା ଏହି ବିକଳ ଚିତ୍ର ଲୋକଲୋଚନକୁ ସହ ପ୍ରଶାସନ ଓ ଓଏମସି ମାଇନ୍ସ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିବା ପରେ ଉକ୍ତ ପରିବାରକୁ କେବେ ମିଳୁଛି ନିଜର ପ୍ରାପ୍ୟ ଅଧିକାର ।