
ଜୟପୁର, କୋରାପୁଟ ଜିଲ୍ଲା ଜୟପୁର ଉପକାରାଗାରରେ ଆଜି ପୋଲିସ ପକ୍ଷରୁ ଭୋର୍ ୫ଟା ସମୟରେ ଅଚାନକ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଜେଲ୍ ରେ ଥିବା କେତେକ ବିଚାରାଧିନ କଏଦୀଙ୍କ ନିକଟରୁ ୧୮ ହଜାର ୨୦୬ ଟଙ୍କା, ଗୋଟିଏ ମୋବାଇଲ୍ ଫୋନ୍, ଗୋଟିଏ ପେନ୍ ଡ୍ରାଇଭ, ତିନି ସେଟ୍ ଡମ୍ବଲ, ତିନୋଟି ଲହାରଡ଼ ଓ କିଛି ପ୍ୟାକେଟ୍ ଖଇନି ଜବତ କରାଯାଇଛି । ଆଜି ଭୋର୍ ସମୟରେ ଏହି ଚଢ଼ଉ ହୋଇଥିଲା । ସକାଳ ପ୍ରାୟ ସାଢ଼େ ୭ଟା ପର୍ଯ୍ୟନ୍ତ ଚଢ଼ଉ ଜାରୀ ରହିଥିଲା । ଜେଲ୍ ର ସମସ୍ତ ୮ଟି ଯାକ ପୁରୁଷ ୱାର୍ଡ଼ ଓ ଗୋଟଏ ମହିଳା ୱାର୍ଡ଼ରେ ଯାଂଚ୍ କରାଯାଇଥିଲା । କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠପାଲିଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉରେ କେତେକ ବରିଷ୍ଠ ଅଧିକାରୀଙ୍କ ସମେତ ଅନ୍ୟ କେତେକ ପୋଲିସ କର୍ମଚାରୀ ସାମିଲ୍ ଥିଲେ ।