ବାରିପଦା, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ତେବେ ଏହି ଯୋଜନାର ସୁଫଳ ପହଂଚି ପାରୁନାହିଁ ବାସ୍ତବ ହିତାଧିକାରୀଙ୍କ ନିକଟରେ । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଷ୍ଟେସନ ବଜାର ଅଂଚଳରେ ।ଦୁଃଖ ଦୁର୍ଦ୍ଦିନରେ ଖଟ ଉପରେ ଶୋଇ ରହି ଜୀବନ କାଟୁଛନ୍ତି ଅସହାୟ ବିଧବା ବୃଦ୍ଧା ମହିଳା । ଅସହାୟ ଅବସ୍ଥାରେ ଦୀର୍ଘ ଦିନରୁ ପଡିରହିଥିବା ଗରୀବ ମହିଳା ଜଣକ ହେଲେ ସ୍ୱର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସହଧର୍ମିଣୀ ଶାନ୍ତିଲତା ବିଶ୍ୱାଳ (୭୫) । ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ମହିଳା ଜଣକ ବୟସର ଅପରାହ୍ନରେ ନିଜ ଜନ୍ମିତ ପୁଅ ପାଖରେ ଜୀବନ ବିତାଉଥିବା ବେଳେ ଦୁଇ ପୁଅ ଜନ୍ମ କଲା ମାଆର ହାତ ଛାଡି ବେସାହାରା କରି ଏକାକୀ ଛାଡ଼ି ଦେଇ ଅନ୍ୟତ୍ର ଚାଲିଗଲେ । ବାଧ୍ୟ ହେଇ ବେସାହାରା ଅବସ୍ଥାରେ ପଲିଥିନ ତଳେ ଖରା ବର୍ଷା ଶୀତ କାକର ମଧ୍ୟରେ ଏକ ଖଟିଆରେ ପଡିରହି ଦୁଃଖ ଦୁର୍ଦ୍ଦିନରେ ଜୀବନ କାଟିବା ପାଇଁ ବାଧ୍ୟ ହୋଇଥିଲେ ରୋଗୀଣା ବୃଦ୍ଧା ଜଣକ । ଦୀର୍ଘ ଦିନ ସେବା ଯତ୍ନ ଓ ଖାଦ୍ୟ ଅଭାବରୁ ଖଟିଆରେ ପଡିରହି ଶରୀର କ୍ଷୀଣ ପ୍ରାୟ । ବୃଦ୍ଧା ମହିଳାଙ୍କ ଶରୀରରେ ପିମ୍ପୁଡ଼ି ଓ ପୋକ ସାଲୁବାଲୁ କରୁଥିବାର ଦୃଶ୍ୟ ମଧ୍ୟ ପରିଲକ୍ଷିତ ହେଉଛି । ଏହି ଅସହାୟ ବୃଦ୍ଧାଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ ବା ପୌର ପ୍ରଶାସନର କିପରି ଦୃଷ୍ଟିପଡ଼ିନି ସେ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ବୃଦ୍ଧାଙ୍କର କେହି ସାହା ଭରସା ନଥିବା କାରଣରୁ ସେ ନିଜ ଭାଗ୍ୟକୁ ନିନ୍ଦି ଅସହାୟ ଅବସ୍ଥାରେ ଦୀର୍ଘ ଦିନରୁ ପଡିରହିଥିବାର ଜଣାପଡ଼ିଛି ।