ଗଞ୍ଜାମ, ଗାଁ ଦାଣ୍ଡରେ ଠିକାଦାରଙ୍କୁ ଛୁରି ଭୁସି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି । ଏଭଳି ଏକ ନୃସଂଶ ହତ୍ୟାକାଣ୍ଡ ଘଟିଯାଇଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ. ବରିଡ଼ା ଗ୍ରାମରେ । ବକେୟା ୨ ହଜାର ଟଙ୍କା ନଦେବାରୁ ଠିକାରଙ୍କୁ ହତ୍ୟା କରିଛି ଶ୍ରମିକ । ଭାଟପଡ଼ା ଗ୍ରାମର ଟୁକୁନା ଛଟେଇ ଠିକାଦାର ଭାବେ କାମ କରି ଏହି ଅଂଚଳରୁ ଆନ୍ଧ୍ରକୁ ଶ୍ରମିକ ପଠାଇଥାଏ । ଏ. ବରିଡ଼ା ଗ୍ରାମର ରାଧାକୃଷ୍ଣ ସାହୁ (୧୯) ଶ୍ରମିକ ଭାବେ ଠିକାଦାରଙ୍କ ମାଧ୍ୟମରେ ଯାଇଥିଲା କିନ୍ତୁ, ସେ ୨ ହଜାର ଟଙ୍କା ପ୍ରାପ୍ୟ ପାଇବାକୁ ଥିବାବେଳେ ଠିକାଦାର ଟୁକୁନାଙ୍କୁ ବାରମ୍ବାର ମାଗି ନିରାଶ ହେବା ପରେ ଆଜି ସକାଳେ ଟୁକୁନା ଶ୍ରମିକ ସଂଗ୍ରହ ପାଇଁ ଗୋବିନ୍ଦପୁର ଆସିଥିବା ଜାଣି ରାଧାକୃଷ୍ଣ ବରିଡ଼ା ଗ୍ରାମ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଗି ରହି ଏବଂ ତାକୁ ଅଟକାଇ ବକେୟା ଟଙ୍କା ମାଗିଥିଲା । ଏହି ଟଙ୍କା ପରେ ଦେବି କହି ଟୁକୁନା ଚାଲିଯିବାକୁ ଉଦ୍ୟମ କରିବା ବେଳେ ରାଧାକୃଷ୍ଣ ପୂର୍ବ ପ୍ରସ୍ତୁତି ପ୍ରକାରେ ତାଙ୍କୁ ଟୁକୁନାଙ୍କ ପେଟକୁ ବାରମ୍ବାର ଛୁରୀ ଭୁସିବା ଫଳରେ ଘଟଣାସ୍ଥଳରେ ଟୁକୁନାର ମୃତ୍ୟୁ ଘଟିଥିଲା । ଖବର ପାଇ ବାଲିସାହି ଫାଣ୍ଡି ଅଧିକାରୀ ଏବଂ କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ରାଧାକୃଷ୍ଣକୁ ଗିରଫ କରିବା ସହ ତାଙ୍କ ହତ୍ୟାକାଣ୍ଡରେ ବ୍ୟବହୃତ ଛରୀକୁ ମଧ୍ୟ ଜବତ କରିଛି । ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ଆସିକା ଡ଼ାକ୍ତରଖାନାକୁ ପଠାଇଛି । ବାପା ଜୟରାମ ଛଟେଇଙ୍କ ଏତଲାକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ୧୩୮/୨୧ ରେ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।