ମାଲକାନଗିରି,ମାଲକାନଗିରି ଜିଲ୍ଲାରେ ପ୍ରଶାସନ ପକ୍ଷରୁ କରୋନା କଟକଣାକୁ କଡ଼ାକଡ଼ି କରାଯିବା ସହିତ ଜିଲ୍ଲାର ହାଟ ବଜାର ବିଭିନ୍ନ ସ୍ଥାନରେ ମାସ୍କ ଚେକିଂକୁ କଡ଼ାକଡ଼ି କରାଯାଇଛି । ଏପରିକି ଯେଉଁ ଦୋକାନ, ହୋଟେଲ ଓ ସପିଂ ମଲ୍ ରେ ଲୋକଙ୍କ ଭିଡ଼ ରହୁଛି, ତାହାକୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଉଛି । ଅନୁରୂପ ଭାବେ ଗତକାଲି ସଂନ୍ଧ୍ୟାରେ ମାଲକାନଗିରି ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ଏକ ଫାଷ୍ଟଫୁଡ଼ ଦୋକାନରେ ସାମାଜିକ ଦୂରତା ନମାନି ଲୋକ ଭିଡ଼ ଜମାଇଥିବାରୁ ତହସିଲଦାର ଡ. ଗୁଣନିଧି ନାୟକ ଓ ଥାନା ଆଇଆଇସି ରାମପ୍ରସାଦ ନାଗ ଉକ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସିଲ୍ କରିଛନ୍ତି । ସେହିପରି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟକୁ ଲାଗି ରହିଥିବା ବିଭିନ୍ନ ଗାଁ ଗୁଡିକ ଉପରେ ପ୍ରଶାସନ ପକ୍ଷରୁ ତୀକ୍ଷ୍ନ ନଜର ରଖାଯାଇଛି । ଛତିଶଗଡ଼ରୁ କେହି ଲୁଚିଛପି ଯେପରି ଜିଲ୍ଲା ମଧ୍ୟକୁ ପ୍ରବେଶ ନକରିବେ ସେଥିପ୍ରତି ପୋଲିସ ସହ ସ୍ଥାନୀୟ ସରପଚଂ ଓ ପଚାଂୟତ ନିର୍ବାହୀ ଅଧିକାରୀ ମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।