
ପୁରୀ, ହନୁମାନ ଜୟନ୍ତୀ ତଥା ପଣା ସଂକ୍ରାନ୍ତୀ ଅବସରରେ ଆଜି ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଶିରୁଳି ଗ୍ରାମରେ ଥିବା ଶିରୁଳି ମହାବୀରଙ୍କ ସ୍ୱତନ୍ତ୍ର ସିନ୍ଦୁର ମାଜଣା ଓ ପୂଜାକାର୍ଯ୍ୟ ସେବାୟତଙ୍କ ଦ୍ୱାରା ବିଧି ମୁତାବକ ସମ୍ପନ୍ନ ହୋଇଛି । କରୋନା ସଂକ୍ରମଣକୁ ଏଡାଇବା ନିମନ୍ତେ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ କରାଯାଇଛି । ଆଜି ଭୋର୍ ୪ଟା ଠାରୁ ଆସନ୍ତା କାଲି ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ପ୍ରତିବର୍ଷ ପଣା ସଂକ୍ରାନ୍ତୀ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥାଏ ଏଠାରେ । ଭକ୍ତ ମାନେ ଶିରୁଳି ମହାବୀରଙ୍କ ଦର୍ଶନ ସାଙ୍ଗକୁ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ, ଚଳିତ ବର୍ଷ ପ୍ରଶାସନର କରୋନା କଟକଣା ଓ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ ହୋଇଥିବାରୁ ଭକ୍ତ ଦୂରରେ ଥାଇ ମହାବୀରଙ୍କୁ ପ୍ରଣିପାତ କରି ଫେରୁଥିବା ଦେଖିବାକୁ ମିଳିଛି । ଶିରୁଳି ମହାବୀର ଠାରେ ପ୍ରତିବର୍ଷ ପଣା ସଂକ୍ରାନ୍ତୀ ଠାରୁ ଆସନ୍ତା ସଂକ୍ରାନ୍ତୀ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ଯାତ୍ରା ଓ ଗହଳି ଲାଗି ରହିଥାଏ । କିନ୍ତୁ ଚଳିତ ବର୍ଷ ଭକ୍ତ ଶୂନ୍ୟ ହୋଇପଡିଛି ଶିରୁଳି ମହାବୀର ପୀଠ ।