
ଗଞ୍ଜାମ, ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା ତାହା ଗଞ୍ଜାମ ଜିଲ୍ଲାରେ ବାସ୍ତବ ରୂପାୟନ ହୋଇଥିବା ଜଣାପଡିଛି । ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଚୈତ୍ର ମଙ୍ଗଳବାର ମା ତାରାତାରିଣୀଙ୍କ ଯାତ୍ରା ଓ ଦଣ୍ଡ ଯାତ୍ରା ଯୋଗୁଁ ସରକାର ଯେତେ ଯାହା କଟକଣା କଲେ ମଧ୍ୟ ଜନସାଧାରଣ ଏହାକୁ ଅବମାନନା କରିବେ ଏଥିରେ ସନ୍ଦେହ ନାହିଁ । ଯାହାଦ୍ୱାରା ସେମାନେ କରୋନାକୁ ନିମନ୍ତ୍ରଣ କରିବେ । ଏହି ସବୁ ଯାତ୍ରା ପାଇଁ ଗଞ୍ଜାମକୁ ବାହାର ରାଜ୍ୟରୁ ହଜାର ହଜାର ଜନସାଧାରଣ ଆସିବାରେ ଲାଗିଛନ୍ତି । ଏହାକୁ ରୋକିବାକୁ କଠୋର ପଦକ୍ଷେପ ଗ୍ରହଣ କରାଯାଇପାରୁନାହିଁ । ଗତ ୧୦ ତାରିଖ ଠାରୁ ଗଞ୍ଜାମ ଜିଲ୍ଲାରେ କରୋନା ପୁଣି ମାଡି ଚାଲିଛି । ଏହାପୁଣି ଗତ ବର୍ଷ ଭଳି ସ୍ଥିତି ଆଣିବା ଆଶଙ୍କାରେ ଜିଲ୍ଲାରେ ବୁଦ୍ଧିଜିବୀ ମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ରାସ୍ତାରେ ଯାତାୟାତ ବେଳେ ହେଲମେଟ୍, ମାସ୍କ ବ୍ୟବହାର କରୁନଥିବା ଏବଂ ବେପରୁଆ ଭାବେ ଯାତାୟାତ କରୁଥିବାରୁ ଏବଂ ସମଦୂରତା ରକ୍ଷା କରାଯାଉନଥିବାରୁ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ ପ୍ରଶାସନ ପକ୍ଷରୁ କାଁ ଭାଁ ନାମକୁ ମାତ୍ର ଏନେଇ ଚେକିଂ ହେଉଛି । କଠୋର ପଦକ୍ଷେପ ନିଆଯାଉନାହିଁ । ଗତକାଲି ଦିନକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ୮୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହେବା ଘଟଣା ଗଞ୍ଜାମ ବାସୀଙ୍କୁ ସ୍ତବ୍ଧ କରିଛି ।