
ମାଲକାନଗିରି, ପୋଖରୀ ନିକଟରେ ଖେଳୁଥିବା ବେଳେ ପାଦ ଖସିଯିବା ଫଳରେ ପାଣିରେ ବୁଡ଼ି ଏକ ୬ ବର୍ଷିୟ ଶିଶୁ ପୁତ୍ରର ମୃତ୍ୟୁ ଘଟିଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଅନ୍ତର୍ଗତ ଡାଇଗୁଡ଼ା ଗ୍ରାମରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଶିଶୁ ଗ୍ରାମର ହରି ଭୂମିଆଙ୍କ ପୁଅ ଜିତୁ ଭୂମିଆ ବୋଲି ଜଣାପଡିଛି । ଆଜି ସକାଳେ ଘର ପାଖ ପୋଖରୀ ନିକଟରେ ଖେଳୁଥିଲା ଜିତୁ । ଏହି ସମୟରେ ଅସାବଧାନତାବଶତଃ ପୋଖରୀ ଭିତରକୁ ଖସି ପଡିଥିଲା । ଗ୍ରାମବାସୀଙ୍କ ସହାୟତରେ ତାକୁ ଉଦ୍ଧାର କରାଯାଇ ମାଥିଲି ମେଡ଼ିକାଲରେ ଭର୍ତି କରାଯାଇଥିଲା । କିନ୍ତୁ, ସେଠାରେ ଡ଼ାକ୍ତର ଜିତୁକୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।