ଗଞ୍ଜାମ, କରୋନା ଦ୍ୱିତୀୟ ଲହର ପ୍ରକୋପରୁ ରକ୍ଷା ପାଇବା ପାଇଁ ପୂର୍ବପେକ୍ଷା ଗଞ୍ଜାମ ଜିଲ୍ଲାରେ ଟୀକାଦାନ ପାଇଁ ଲୋକଙ୍କ ମଧ୍ୟରେ ଅଧିକ ତତ୍ପରତା ପ୍ରକାଶ ପାଇଛି । ଫଳରେ ପ୍ରତିଦିନ ହଜାରେରୁ ଉର୍ଦ୍ଧ୍ୱ ଟୀକାଦାନ ହେଉଛି । କିନ୍ତୁ, ଗତ ସପ୍ତାହେ ହେଲା ସହରରେ ଟୀକାର ଅଭାବ ଲାଗି ରହିଛି । ସେଥିପାଇଁ ତିନି ଦିନ ମଙ୍ଗଳବାର, ବୁଧବାର ଓ ଶନିବାର ଟୀକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଗତକାଲି ଠାରୁ ବିଭିନ୍ନ କେନ୍ଦ୍ର ଓ ମେଡ଼ିକାଲରେ ଟୀକାଦାନ ଆରମ୍ଭ ହୋଇଛି । ଗତକାଲି ଯେତିକି ସଂଖ୍ୟାରେ ଟୀକା ଆସିଥିଲା, ସେସବୁ ସରି ଯାଇଛି । ଗତକାଲି ୧୦ଟି କେନ୍ଦ୍ରରେ ୨୩୭୧ ଜଣଙ୍କ ଟୀକାକରଣ ହୋଇଥିଲା । ଆଜି ପୁଣି ଟୀକା ଆସିଲେ ଟୀକାଦାନ କାର୍ଯ୍ୟ ପୁନଃ ଜାରୀ ରହିବ ବୋଲି ସୂଚନା ମିଳିଛି ।