ଗଞ୍ଜାମ, ଦିନକୁ ଦିନ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ବଣ୍ୟ ଜନ୍ତୁମାନେ ଜୀବନ ବଞ୍ଚାଇବାକୁ ଯାଇ ଏଣେ ତେଣେ ଘୁରି ବୁଲୁଛନ୍ତି । ଯାହା ଫଳରେ ବ୍ୟାପକ ଫସଲ ନଷ୍ଟ ହେବା ସହ ସେମାନଙ୍କ ଆକ୍ରମଣରେ ବହୁ ଲୋକ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରୁଛନ୍ତି । ଆଜି ସକାଳ ସାଢେ଼ ୭ଟା ସମୟରେ ଗାଙ୍ଗପୁର ଥାନା କ୍ଷେତ୍ରୀ ବରପୁର ପଞ୍ଚାୟତ ବାଘୁଆ ପଲ୍ଲୀ ଗ୍ରାମର ବଡ଼ ସାହିରେ ବାରହା କାମୁଡ଼ାରେ ୩ ଜଣ ମହିଳା ଓ ଜଣେ ବୃଦ୍ଧ ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହୋଇଛନ୍ତି । ଏହି ଗ୍ରାମର କବି ଗୌଡ଼ (୬୦), ଅହଲ୍ୟା ଗୌଡ଼ (୫୫), ସବିତା ଗୌଡ଼ (୪୩) ଓ ଭାଗ୍ୟ ନାୟକ(୬୦) ନିଜ ଘର ବାଡ଼ି ପଟେ କାମ କରୁଥିବା ବେଳେ ହଠାତ୍ ଏକ ବାରହା ଆସି ଜଣଙ୍କ ପରେ ଜଣଙ୍କୁ କାମୁଡ଼ି ପକେଇଥିଲା । ସେମାନଙ୍କ ଚିତ୍କାର ଶୁଣି ଅନ୍ୟ ଗ୍ରାମବାସୀମାନେ ଚାଲି ଆସିବାରୁ ବାରହାଟି ସେଠାରୁ ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା । ଆହତ ମାନଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।