-
ଟିଭିରେ ସଫଳ ଉଦ୍ୟୋଗୀଙ୍କ କାହାଣୀକୁ ନେଇ ପ୍ରସାରଣ ହେବ ‘ଆମ ଉଦ୍ୟୋଗୀ’
ଯେଉଁ ଉଦ୍ୟୋଗଗୁଡ଼ିକ କୋଭିଡ୍ ପ୍ୟାକେଜ୍ ପାଇଛନ୍ତି ସେମାନଙ୍କୁ ପତ୍ର ଲେଖି ରାଜ୍ୟର ଅର୍ଥନୀତିରେ ତାଙ୍କର ଯୋଗଦାନକୁ ପ୍ରଶଂସା କରିବା ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ବିଭାଗର ଯେଉଁସବୁ ସୁବିଧା କେନ୍ଦ୍ର ରହିଛି ସେଠାରେ ଆଇଇସି ପ୍ରଚାରପତ୍ରଗୁଡ଼ିକୁ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଏହି କାର୍ଯ୍ୟ କରିବା ପାଇଁ ସାଧାରଣ ପରିଚାଳକମାନଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ଦର୍ଶାଯାଇଥିଲା । ଜିଲ୍ଲାଗୁଡ଼ିକ ଜିଲ୍ଲାପାଳମାନଙ୍କ ପରାମର୍ଶ ଅନୁସାରେ ଅନ୍ତତଃ ୩ ବର୍ଷିଆ ସମ୍ଭାବ୍ୟ ଜିଲ୍ଲା ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି । ସେହିପରି ପିଏମ୍ଇଜିପିର ଏକ କଫି ଟେବୁଲ ପୁସ୍ତିକା ମୁଦ୍ରଣ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି । ତା’ଛଡ଼ା ଦୈନନ୍ଦିନ ହାସଲ କରୁଥିବା ଉଲ୍ଲେଖନୀୟ ଘଟଣାବଳୀକୁ ଟୁଇଟ୍ କରି ସୋସିଆଲ୍ ମିଡ଼ିଆରେ ଦେବା ପାଇଁ ପ୍ରକ୍ରିୟାକୁ ଅପ୍ଡେଟ୍ କରିବାକୁ ପରାମର୍ଶ ଦିଆଯାଇଥିଲା ।
ପ୍ରମୁଖ ସଚିବ ‘ଉଦ୍ୟମ’ ଅଧୀନରେ ପଂଜୀକରଣ ଉତ୍ସାହଜନକ ହୋଇପାରି ନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ଷ୍ଟାର୍ଟ ଅପ୍ରେ ସ୍ୱତନ୍ତ୍ର ଭାବେ ଏକ ଭିଡ଼ିଓ କନ୍ଫରେନ୍ସିଂ କରିବାକୁ ପ୍ରସ୍ତାବ ରଖାଯାଇଛି । ତା’ଛଡ଼ା ଶିଳ୍ପାଞ୍ଚଳଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବାକୁ କୁହାଯାଇଥିଲା । ପିଏମ୍ଇଏଫ୍ ଯୋଜନାରେ ଓଡ଼ିଶା ଦେଶରେ ଦ୍ୱିତୀୟ ରାଜ୍ୟ ଭାବେ ପରିଗଣିତ ହୋଇଥିବା ଖୁସିର ବିଷୟ । ଉତ୍ତରପ୍ରଦେଶ ପ୍ରଥମ ଓ ଓଡ଼ିଶା ଦ୍ୱିତୀୟ ସ୍ଥାନ ହାସଲ କରିଛି । ତେଣୁ ଆଗାମୀ ଦିନରେ ଅଧିକ ପରିଶ୍ରମ କରି ଦେଶରେ ପ୍ରଥମ ହେବାକୁ କାର୍ଯ୍ୟ କରିବାକୁ କୁହାଯାଇଛି । ସେହିପରି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଚଳିତ ଆର୍ଥିକ ବର୍ଷରେ ତା’ର କାରବାରକୁ ଗତବର୍ଷ ୫୨୨ କୋଟି ସ୍ଥାନରେ ଏଥର ୬୧୨ କୋଟିରେ ପହଞ୍ଚି ପାରିଥିବା ଯୋଗୁଁ ଖୁସି ବ୍ୟକ୍ତ କରାଯାଇଛି । ବିଶେଷ ଭାବେ ଜାତୀୟ ରାଜପଥକୁ ବିଟୁମେନ୍ ବିକ୍ରୟ ଆରମ୍ଭ କରାଯିବା, ଉଚ୍ଚଶିକ୍ଷା ବିଭାଗର ନିର୍ମାଣ କାର୍ଯ୍ୟ ହାତକୁ ନେବା ଏବଂ ଶକ୍ତି ବିଭାଗର ବିଦୁ୍ୟତ କାର୍ଯ୍ୟ କରିବା ଯୋଗୁଁ ଏହା ସମ୍ଭବ ହୋଇପାରିଥିବା କୁହାଯାଇଛି । ୨୦୨୨ରେ ଏହାକୁ ୭୫୦ କୋଟି ଏବଂ ୨୦୨୩ ବେଳକୁ ୧ ହଜାର କୋଟିରେ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ସେହିପରି ଓଡ଼ିଶା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ମଧ୍ୟରେ ପ୍ରଥମ ରାଜ୍ୟ ଯାହା ପ୍ରତି ଜିଲ୍ଲାରେ ଜିଲ୍ଲା ରପ୍ତାନୀ କମିଟି ଗଠନ କରିପାରିଛି । ଏଥି ସହିତ ଜିଲ୍ଲା ଆକ୍ସନ ପ୍ଲାନ୍ ପ୍ରସ୍ତୁତ ଏବଂ ଜିଲ୍ଲାୱାରୀ ଉତ୍ପାଦ ଚିହ୍ନଟ କରାଯାଇପାରିଛି । ରତ୍ପାନୀ ପ୍ରୋତ୍ସାହନ ଚଳିତ ଆର୍ଥିକ ବର୍ଷରେ ମାର୍ଚ୍ଚ ଶେଷ ସୁଦ୍ଧା ୭୫ ହଜାର କୋଟିରେ ପହଞ୍ଚିପାରିଛି । ଗତବର୍ଷ ଏହା ୪୭ ହଜାର କୋଟି ଥିଲା । ତା’ଛଡ଼ା ବାର୍ଷିକ ଋଣ ଯୋଜନାରେ ରାଜ୍ୟ ୩୨ କୋଟି ଟଙ୍କା ଋଣ ପ୍ରଦାନ କରିବାରେ ସମର୍ଥ ହୋଇପାରିଛି ।
ଓଡ଼ିଶା ରାଜ୍ୟରେ ପ୍ରଥମ ଥର ପାଇଁ ଏମ୍ଏସ୍ଏମ୍ଇ ସେନ୍ସସ୍ କାର୍ଯ୍ୟକ୍ରମ ହାତକୁ ନେବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଫଳରେ ଏକ ପୂର୍ଣ୍ଣାଙ୍ଗ ଡାଟାବେସ୍ ବିଭାଗ ପାଖରେ ରହିବ ଏବଂ ଏହା ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିବ । ତେଣୁ ଏହି ଦୂରଦର୍ଶୀ କାର୍ଯ୍ୟକ୍ରମକୁ କ୍ରିୟାନ୍ୱିତ କରିବା ପାଇଁ ଏହାର ପ୍ରକ୍ରିୟା ଉପରେ ଅଧିକ ଜୋର ଦିଆଯାଇଛି । ଏହି ଗଣନାରେ ରାଜ୍ୟରେ କେତେ ଉଦ୍ୟୋଗ ରହିଛି, ତା’ମଧ୍ୟରେ କେତେ କାର୍ଯ୍ୟକ୍ଷମ ରହିଛି, କେତେ ବନ୍ଦ ରହିଛି, କେଉଁ ପ୍ରକାରର ଉଦ୍ୟୋଗ, ଉଦ୍ୟୋଗର ସଠିକ୍ ଠିକଣା, କାର୍ଯ୍ୟ କରୁଥିବା ମାନବସମ୍ବଳର ସଂଖ୍ୟା, ବାର୍ଷିକ ଆୟବ୍ୟୟ, ଉଦ୍ୟୋଗୀ ମହିଳା କି ପୁରୁଷ ଇତ୍ୟାଦି ଅନେକ ତଥ୍ୟ ରହିବ । ଏଥି ପାଇଁ ଏକ ମଡେଲ ତଥ୍ୟ ସଂଗ୍ରହ ଫର୍ମାଟ ବିକଶିତ କରିବାକୁ ପରାମର୍ଶ ଦିଆଯାଇଛି ।
ପିଏମ୍ଏଫ୍ଏମ୍ଇ ଯୋଜନାରେ ଓଡ଼ିଶା ସାରା ଭାରତରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ସେହିପରି ୮୨ କୋଟି ଟଙ୍କା ବ୍ୟୟରେ ଏକ ନୂତନ ଓ ଅତ୍ୟାଧୁନିକ ଖଦୀ ଭବନ ନିର୍ମାଣ କରି ଖଦୀର ବହୁଳ ପ୍ରଚାରପ୍ରସାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ବିଭାଗ ଏହି ସଫଳତାର ହାର ବଜାୟ ରଖି ଓଡ଼ିଶାକୁ ଦେଶର ସର୍ବୋତ୍କୃଷ୍ଟ ରାଜ୍ୟରେ ପରିଣତ କରିବା ପାଇଁ ଉଦ୍ୟମ କରିବାକୁ ମାନ୍ୟବର ମନ୍ତ୍ରୀ କ୍ୟାପ୍ଟେନ୍ ମିଶ୍ର ପରାମର୍ଶ ଦେଇଛନ୍ତି ।