ଖୋର୍ଦ୍ଧା – ବିଦ୍ୟାଳୟ ପରିସରରେ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏକ ଗଛର ଡ଼ାଳ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଆଜି ଅପରାହ୍ନରେ ଏଭଳି ଏକ ଅଘଟଣ ଘଟିଯାଇଛି ନିରାକାରପୁର କ୍ଷେତ୍ରବାସୀ ନୋଡ଼ାଲ ହାଇସ୍କୁଲରେ । ମୃତ ଛାତ୍ରଙ୍କ ନାମ ରୀତେଶ ପ୍ରଧାନ । ସେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଥିଲେ । ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ ବିଦ୍ୟାଳୟକୁ ଘେରାଉ କରିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିସରରେ ଅଟକ ରଖି ହୋ ହାଲ୍ଲା କରିବା ଫଳରେ ସେଠାରେ ଏକ ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଖବର ପାଇ ଟାଙ୍ଗି ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲେକଙ୍କୁ ବୁଝାସୁଝା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି ।
ଆଜି ଅପରାହ୍ନରେ ଖେଳ ଛୁଟି ସମୟରେ ରୀତେଶ ନିଜର ଅନ୍ୟ କିଛି ସାଙ୍ଗଙ୍କ ସହିତ ବିଦ୍ୟାଳୟ ପରିସରରେ ଖେଳୁଥିବା ସମୟରେ ଫନି ବାତ୍ୟା ଠାରୁ ବିପଦଶଙ୍କୁଳ ଅବସ୍ଥାରେ ଝୁଲି ରହିଥିବା ଏହି ଶୁଖିଲା ଡ଼ାଳଟି ହଠାତ୍ ଭାଙ୍ଗି ତାଙ୍କ ଉପରେ ପଡିଥିଲା । ଫଳରେ ସେ ଗୁରୁତର ହୋଇପଡିଥିଲେ । ତୁରନ୍ତ ତାଙ୍କୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଶେଷ ଖବର ସୁଦ୍ଧା ଘଟଣାସ୍ଥଳରେ ଉତେଜନା ଲାଗି ରହିଛି ।