

ପିଏଲଆଇ ଯୋଜନା ଅନ୍ତର୍ଗତ ଏୟାର କଣ୍ଡିସନର ଏବଂ ଏଲଇଡି ଲାଇଟ ନିର୍ମାଣ ସହ ଜଡ଼ିତ କମ୍ପାନୀଗୁଡ଼ିକୁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ନିର୍ମିତ ସାମଗ୍ରୀର ପରିବର୍ଦ୍ଧିତ ବିକ୍ରି ଉପରେ ୪ରୁ ୬ ପ୍ରତିଶତ ହାରରେ ପ୍ରୋତ୍ସାହନ ଦିଆଯିବ । ଆଶା କରାଯାଉଥିବା କ୍ଷେତ୍ରରେ ବୈଶ୍ୱିକ ନିବେଶକୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପ୍ରକାରର ସରଞ୍ଜାମକୁ ଧ୍ୟାନରେ ରଖି ବିଭିନ୍ନ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇଛି । ଯେଉଁସବୁ ଉପକରଣକୁ ବର୍ତ୍ତମାନ ଭାରତରେ ସମ୍ପୂର୍ଣ୍ଣ କ୍ଷମତା ସହିତ ନିର୍ମାଣ କରାଯାଉନାହିଁ ସେସବୁର ଯନ୍ତ୍ରାଂଶ ନିର୍ମାଣ କିମ୍ବା ଉପକରଣର ଅଂଶବିଶେଷ ନିର୍ମାଣ (ସବ ଆସେମ୍ବଲିଂ)କୁ ପ୍ରୋତ୍ସାହନ ଦିଆଯିବା ଆଧାରରେ ଯୋଜନା ଲାଗି କମ୍ପାନୀଗୁଡ଼ିକର ଚୟନ କରାଯିବ । ପ୍ରସ୍ତୁତ ସାମଗ୍ରୀଗୁଡ଼ିକୁ କେବଳ ଯୋଡ଼ିବା (ଆସେମ୍ବଲ) କରିବା ଲାଗି ପ୍ରୋତ୍ସାହନ ଦିଆଯିବ ନାହିଁ ।
ବିଭିନ୍ନ ଲକ୍ଷ୍ୟ ଧାର୍ଯ୍ୟ କ୍ଷେତ୍ର ପାଇଁ ପ୍ରାକ-ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା କମ୍ପାନୀ ଯୋଜନାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହେବେ । ବ୍ରାଉନ ଫିଲ୍ଡ ଏବଂ ଗ୍ରୀନ ଫିଲ୍ଡ ନିବେଶ କରୁଥିବା କମ୍ପାନୀଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଯୋଜନା ପାଇଁ ଯୋଗ୍ୟ ଭାବେ ଗ୍ରହଣ କରାଯିବ । ପ୍ରୋତ୍ସାହନ ଦାବି କରିବା ଲାଗି ଆଧାର ବର୍ଷରେ ନିର୍ମିତ ସାମଗ୍ରୀ ସନ୍ଦର୍ଭରେ ପରିବର୍ଦ୍ଧିତ ନିବେଶ ଏବଂ ପରିବର୍ଦ୍ଧିତ ସର୍ତ୍ତକୁ ପୂରଣ କରିବାକୁ ହେବ ।
ଭାରତ ସରକାରଙ୍କ ଅନ୍ୟ କୌଣସି ପିଏଲଆଇ ଯୋଜନାର ଲାଭ ଉଠାଉଥିବା କମ୍ପାନୀ ସମାନ ଉତ୍ପାଦ ସନ୍ଦର୍ଭରେ ଯୋଜନା ଅନ୍ତର୍ଗତ ଯୋଗ୍ୟ ବୋଲି ଗ୍ରହଣୀୟ ହେବେ ନାହିଁ, କିନ୍ତୁ କମ୍ପାନୀ ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ ଯୋଜନାର ଲାଭ ପାଇପାରିବେ । ଯୋଜନାକୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ କରାଯିବ ଏବଂ ଏଥିପାଇଁ ଯେକୌଣସି ସ୍ଥାନ, କ୍ଷେତ୍ର କିମ୍ବା ଜନସଂଖ୍ୟା ବିଶେଷକୁ ଧ୍ୟାନରେ ରଖାଯାଇନାହିଁ । ଏମଏସଏମଇ କମ୍ପାନୀଗୁଡ଼ିକ ସମେତ ଦେଶ ଓ ବିଦେଶର ବିଭିନ୍ନ କମ୍ପାନୀଗୁଡ଼ିକୁ ଏହି ଯୋଜନାରୁ ଲାଭ ମିଳିବାର ସମ୍ଭାବନା ରହିଛି ।
ଆଶା କରାଯାଉଛି ଯେ ଏହି ଯୋଜନା, ଏସି ଏବଂ ଏଲଇଡି ଲାଇଟ ଉଦ୍ୟୋଗରେ ଉଚ୍ଚ ବିକାଶ ହାର ହାସଲ କରିବାରେ, ଭାରତରେ ସହାୟକ ଯନ୍ତ୍ରାଂଶର ସମ୍ପୂର୍ଣ୍ଣ ଇକୋ-ସିଷ୍ଟମ ବିକଶିତ କରିବାରେ ଏବଂ ଭାରତରେ ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରୀୟ କମ୍ପାନୀ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହି କମ୍ପାନୀଗୁଡ଼ିକୁ ଘରୋଇ ବଜାରରେ ବିକ୍ରି ନିମନ୍ତେ ବାଧ୍ୟତାମୂଳକ ବିଆଇଏସ ଏବଂ ବିଇଇ ମାନକ ତଥା ବିଶ୍ୱ ବଜାରରେ ଲାଗୁ ମାନକଗୁଡ଼ିକୁ ପୂରଣ କରିବାକୁ ହେବ । ଏହି ଯୋଜନା ଫଳରେ ଗବେଷଣା, ବିକାଶ ଓ ନବୋନ୍ମେଷରେ ନିବେଶ ଏବଂ ପ୍ରଯୁକ୍ତି ଉନ୍ନୟନରେ ସହାୟତା ମିଳିବ ।
ଆଶା କରାଯାଉଛି ଯେ ପିଏଲଆଇ ଯୋଜନା ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ୭୯୨୦ କୋଟି ଟଙ୍କାର ବର୍ଦ୍ଧିତ ନିବେଶ ହେବ; ୧,୬୮,୦୦୦ କୋଟି ଟଙ୍କାର ବୃଦ୍ଧିଶୀଳ ଉତ୍ପାଦନ ହେବ, ୬୪,୦୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ ରପ୍ତାନି ହେବ; ୪୯,୩୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ଓ ପରୋକ୍ଷ ରାଜସ୍ୱ ଆୟ ହେବା ସହିତ ଚାରି ଲକ୍ଷ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।