ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଜନାନା ହସ୍ପିଟାଲ ରୋଡ଼ରେ କୋଲକାତାର ଚନ୍ଦ୍ରକାନ୍ତ ଭାର୍ଗବ ଗୋଲେ ନାମକ ଜଣେ ବ୍ୟକ୍ତି ରାମକୃଷ୍ଣ ଇଲେକ୍ଟ୍ରୋ କଂଟ୍ରୋଲ ଲିମିଟେଡ଼୍ ନାମରେ ଏକ ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲେ । ସଂସ୍ଥାରେ ଟଙ୍କା ଜମା କଲେ ଲୋକଙ୍କୁ ଅଧିକ ହାରରେ ସୁଧ ମିଳିବ ବୋଲି ପରିଚାଳନା ନିର୍ଦ୍ଦେଶକ (ଏମଡ଼ି) ଚନ୍ଦ୍ରକାନ୍ତ ପ୍ରତିଶୃତି ଦେଇଥିଲେ । ବ୍ରହ୍ମପୁର ଶାଖାର ମ୍ୟାନେଜର ଭାବେ ସୁରେଶ ପାଢ଼ୀ କାର୍ଯ୍ୟ କରୁଥିଲେ । ବହୁ ଜମାକାରୀ ଏହି ସଂସ୍ଥାରେ ଟଙ୍କା ଜମା କରିଥିଲେ । କିନ୍ତୁ, ମ୍ୟାଚ୍ୟୁରିଟୀ ପରେ ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତ ମିଳିନଥିଲା । ଫଳରେ ବହୁ ଜମାକାରୀ ଗତ ୨୦୧୪ ରେ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ । ଗୋଇଲୁଣ୍ଡିର ଲକ୍ଷ୍ମୀପ୍ରିୟା ମହାନ୍ତି ଓ ଝିଅ ନିବେଦିତା ମହାନ୍ତି ଏହି ସଂସ୍ଥାରେ ୩ ଲକ୍ଷ ୨୫ ହଜାର ଟଙ୍କା ଜମା କରିଥିଲେ । ହେଲେ ମ୍ୟାଚୁରିଟୀ ପରେ ଏହି ଟଙ୍କା ଫେରସ୍ତ ନପାଇବାରୁ ସେମାନେ ସଂସ୍ଥା ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିଥିଲା । ଘଟଣାରେ ପୂର୍ବରୁ ପୋଲିସ ଚନ୍ଦ୍ରକାନ୍ତ ଓ ସୁରେଶଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ବିଚାରଣା ବେଳେ ମୋଟ୍ ୧୩ ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା । ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବା ଯୋଗୁଁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ଜଜ୍ ସଂସ୍ଥାର ଏମଡ଼ି ଓ ମ୍ୟାନେଜରଙ୍କୁ ୭ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ଜୋରିମାନାରେ ଦଣ୍ଡିତ କରିଛନ୍ତି ।