
କନ୍ଧମାଳ, କନ୍ଧମାଳ ଜିଲ୍ଲା କୋଟଗଡ଼ ଠାରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଛି । ଚୋର ମାନେ ମୁଖ୍ୟ ଫାଟକ ତାଲା ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ମନ୍ଦିରର ହୁଣ୍ଡି ଭାଙ୍ଗି ଦକ୍ଷିଣା ଟଙ୍କା ଲୁଟିନେବା ସହ ପାଶ୍ୱର୍ ମନ୍ଦିରର ମା ଲକ୍ଷ୍ମୀଙ୍କ ସୁବର୍ଣ୍ଣ ଚିତା, ମା ବିମଳାଙ୍କ ସୁବର୍ଣ୍ଣ ନାକଗୁଣା ଆଦି ଚୋରୀ କରି ନେଇଥିଲେ । ସୂଚନା ଅନୁଯାୟୀ, ଆଜି ସକାଳୁ ସେବାୟତ ଚନ୍ଦ୍ରଶେଖର ପାଣିଗ୍ରାହୀ ମନ୍ଦିରକୁ ପୂଜା କରିବାକୁ ଯିବା ବେଳେ ମନ୍ଦିର କବାଟ ଓ ହୁଣ୍ଡି ଭଙ୍ଗା ଯାଇଥିବା ଦେଖି ମୁଖ୍ୟ ପୂଜକ ଭଗବାନ ପଣ୍ଡାଙ୍କୁ ଏ ବାବଦରେ ଜଣାଇଥିଲେ । ଖବର ପାଇ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ସେଠାରେ ପହଂଚି ଏସବୁ ଦେଖିବା ସହ କୋଟଗଡ଼ ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ କୋଟଗଡ଼ ଥାନା ଅଧିକାରୀ ଅଲେଖ ଗରଡ଼ିଆ ସଦଳବଳେ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ଚୋରି ହୋଇଥିବା ଟଙ୍କା ଓ ସୁନାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ ।