ଜିଲ୍ଲା ଚେସ୍ ଆସୋସିଏସନ ଅଫ୍ ପୁରୀ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଆୟୋଜିତ ହୋଇଥିବା ଦୁଇଦିନିଆ ଜିଲ୍ଲାସ୍ତରୀୟ ଚେସ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗ ଦେଇଥିଲେ । ପୁରୀ ଜିଲ୍ଲାରେ ଚେସ୍ର କିପରି ଉନ୍ନତି କରାଯାଇପାରିବ ସେ ସମ୍ପର୍କରେ ମତ ପ୍ରଦାନ କରିବା ସହ ଏଥିପାଇଁ ସେ ବ୍ୟକ୍ତିଗତ ଭାବରେ ଆସୋସିଏସନକୁ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ନାରାୟଣ ପାତ୍ର ଯୋଗ ଦେଇ କହିଲେ ଜିଲ୍ଲାର ଗରିବ ତଥା ମେଧାବୀ ଚେସ୍ ଖେଳାଳିମାନଙ୍କୁ ଆସୋସିଏସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ କ୍ରୀଡାର ଯେପରି ଉନ୍ନତି ହୋଇପାରିବ ସେଥିପ୍ରତି ଆସୋସିଏସନ ଅଧିକ ଗୁରୁତ୍ୱ ଦେବ । ଜିଲ୍ଲାରେ ଖେଳର ଉନ୍ନତି ପାଇଁ ବିଭିନ୍ନ ସ୍ଥାନରେ ପ୍ରତିଯୋଗିତାମାନ ଆୟୋଜନ କରାଯିବା ନେଇ ଆସୋସିଏସନ ଚିନ୍ତା କରୁଥିବା
ସେ କହିଥିଲେ । ପ୍ରତିଯୋଗିତାରେ ଜୁନିୟର ଏବଂ ସିନିୟର ବିଭାଗରେ ଜିଲ୍ଲାରୁ ପ୍ରାୟ ୫୪ ଜଣ ପ୍ରତିଯୋଗୀ ଭାଗନେଇଥିଲେ । ସେମାନଙ୍କ ମଧ୍ୟରୁ ସିନିଅର ବିଭାଗର ୧୫ ଜଣ ଓ ଜୁନିଅର ବିଭାଗରୁ ୧୫ଜଣ କୃତ କାର୍ଯ୍ୟ ହୋଇଥିଲେ । ଚେସ୍ ପ୍ରତିଯୋଗିତା ସହ ସିନିଅର ଓ ଜୁନିଅର ବିଭାଗରେ ଚିତ୍ରାଙ୍କନ ଓ ସିନିଅର ବିଭାଗରେ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅତିଥିମାନଙ୍କ ପକ୍ଷରୁ କୃତି ପ୍ରତିିଯୋଗୀ ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆସୋସିଏସନର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ବରିଷ୍ଠ ସାମ୍ବାଦିକା ତଥା ଲେଖିକା ମୋନିଦିପା ସାହୁ, ଆମ୍ରି ହସ୍ପିଟାଲର ପ୍ରଫେସର ଡା. ସିଦ୍ଧାର୍ଥ ସାହୁ, ଆସୋସିଏନର ଉପସଭାପତି ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ପ୍ରତିଯୋଗିତାକୁ ରଚିତା ମହାନ୍ତି , ଶୁଭଶ୍ରୀ ଦାସ , ପ୍ରଜ୍ଞା ପରମିତା ନନ୍ଦ , ସ୍ୱାଧୀନ ମହାନ୍ତି ଏବଂ ସଞ୍ଜୀବ୍ ରଥଶର୍ମା ପ୍ରମୁଖ ପରିଚାଳନା କରିଥିଲେ ।