ବାରିପଦା, ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଥିବାର ଜଣାପଡ଼ିଛି । ଶିମିଳିପାଳ ସାଉଥ ୱାଇଲଡ଼ ଲାଇଫ ଅଧୀନରେ ଥିବା ଭଞ୍ଜବସା ୱାଇଲଡ଼ ଲାଇଫ ଅଂଚଳର ଗୁଣ୍ଡୁରିଆ, ଡ଼ୁକୁରା ୱାଇଲଡ଼ ଲାଇଫ ଅଂଚଳର ଚନ୍ଦନଚରୁରୀ-୨, ପିଠାବଟା ୱାଇଲଡ଼ ସାଉଥ ଲାଇଫ ଅଂଚଳର ଅନ୍ଧାରୀତୋଟା-୧ ଏହିପରି ମୋଟ୍ ୯ଟି ସ୍ପଟରେ ଏବଂ ଶିମିଳିପାଳ ନର୍ଥ ୱାଇଲଡ଼ ଲାଇଫ ଅଧୀନରେ ଥିବା କେନ୍ଦୁମୁଣ୍ଡି ୱାଇଲଡ଼ ଲାଇଫ ଅଂଚଳର କିଆଝରି, ଚହଲା ୱାଇଲଡ଼ ଲାଇଫ ଅଂଚଳର ରାଜପାଳ ଓ ହଳଦିଆ ଆଦିରେ ମୋଟ୍ ୧୨ଟି ସ୍ପଟରେ ନିଆଁ ଜଳୁଥିବାର ଜଣାପଡ଼ିଛି । ତେବେ ଗତ ଏପ୍ରିଲ ୧ରେ ୪୬ଟି ସ୍ପଟରେ ନିଆଁ ଲାଗିଥିବା ବେଳେ ୨ରେ ଏହି ସଂଖ୍ୟା ୫୨କୁ ବୃଦ୍ଧି ପାଇଥିବା ବେଳେ ଗତକାଲି ସୁଦ୍ଧା ଏହି ସଂଖ୍ୟା ହ୍ରାସ ପାଇ ୨୧ରେ ପହଁଚିଛି । ଏହି ସମୟରେ ଜଳୁଥିବା ନିଆଁକୁ ଲିଭାଇବା ନିମନ୍ତେ ବନ ବିଭାଗ ପକ୍ଷରୁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଶିମିଳିପାଳ ଅଭୟାରଣ୍ୟର ସମ୍ପୂର୍ଣ୍ଣ ଭାବେ ନିଆଁ ମାଡ଼ିଯିବାକୁ ଅବଶିଷ୍ଟ କେତେ ବାକି ରହିଛି ସେ ସମ୍ପର୍କରେ ପ୍ରତିକ୍ରିୟା ଜାଣିବା ନିମନ୍ତେ ଆରସିସିଏଫ ଯୁଗ ଦୟାନନ୍ଦଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ତେବେ ଶିମିଳିପାଳ ଅଭୟାଣ୍ୟରେ ଲାଗିଥିବା ନିଆଁକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରତ ତଥା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ । ଶିମିଳିପାଳ ଅଭୟାରଣ୍ୟ ଆଜକୁ ଏକ ମାସ ଦଶ ଦିନ ଧରି ଜଳୁଛି । ବନ ବିଭାଗ ନିଆଁକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଇଚ୍ଛାଶକ୍ତିର ଅଭାବ କାରଣରୁ ଶମିଳିପାଳ ସାଉଥ ଅଂଚଳରେ ପ୍ରାୟତଃ କୋଣ ଅନୁକୋଣକୁ ଏହା ଗ୍ରାସ କରିସାରିଛି । ସେହିପରି ନର୍ଥ ଭାଗରେ ମଧ୍ୟ ନିଆଁ ମାଡ଼ି ମାଡ଼ି ଚାଲିଛି । ଏଥି ନିମନ୍ତେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟର ଉପକ୍ଷେତ୍ର ନିର୍ଦ୍ଦେଶକ ଯଜ୍ଞଦତ ପତି ପୁରସ୍କାର ପାଇବା ନିମନ୍ତେ ଯୋଗ୍ୟ ହୋଇଥିବାରୁ ତାଙ୍କୁ ଜଣେ ମୟୂରଭଞ୍ଜିଆ ହିସାବରେ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ଫୁଲମାଳ ପିନ୍ଧାଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଆଗ୍ରହ ହେଉଛି । ମାଣିକପୁରରେ ଅଢ଼େଇଶହରୁ ଅଧିକ ଗ୍ରାମବାସୀ ଏକତ୍ରିତ ହୋଇ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହେବେ ବୋଲି ବନ ବିଭାଗକୁ ଖବର ଦେଇଥିଲେ ମଧ୍ୟ ବନ ବିଭାଗ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା । ଆମ ଶିମିଳିପାଳକୁ ନିଆଁ ଦାଉରୁ ରକ୍ଷା କରି ପାରିଲେ ନାହିଁ, ମାତ୍ର ସମ୍ପୂର୍ଣ୍ଣ ଭାବେ ପୋଡ଼ି ଶେଷ କରିଦେଇ ପାରିଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ବୋଲି କହିଛନ୍ତି ।
ସେହିପରି ବାରିପଦା ବିଧାୟକ ପ୍ରକାଶ ସୋରେନ ମଧ୍ୟ ଏଥି ନିମନ୍ତେ ମର୍ମାହତ । ଶିମିଳିପାଳରେ ନିଆଁ ଲାଗିବା ପ୍ରଥମ ଘଟଣା ନୁହେଁ । କିନ୍ତୁ, ଏହି ପ୍ରକାରର ନିଆଁ ପ୍ରଥମ ଘଟଣା । ସାଧାରଣତଃ ମହୁଲ ଗୋଟାଳି, କେନ୍ଦୁପତ୍ର ତୋଳାଳୀ, ଶିକାରୀମାନେ ଶୀକାର ଉଦ୍ଦେଶ୍ୟରେ ରାତିରେ ଜଙ୍ଗଲ ଭିତରେ ଡେରା ପକାଇଥିବା ବେଳେ ବନ୍ୟଜନ୍ତୁ ଦାଉରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ଓ ବନ କର୍ମଚାରୀମାନେ ବନୀକରଣ ଘୋଟାଲାକୁ ଛପାଇବାକୁ ଜଙ୍ଗଲରେ ନିଆଁ ଲଗାଇଥାନ୍ତି । ସେହିପରି ସରକାର ଜଙ୍ଗଲରେ ଲାଗିଥିବା ନିଆଁକୁ ନେଇ ଯେଉଁ ଟାସ୍କଫୋର୍ସ ଗଠନ କରିଛନ୍ତି, ସେଥିରେ ଅନଭିଜ୍ଞ ବ୍ୟକ୍ତିମାନଙ୍କ ସାମିଲ୍ କରାଯିବା ଉପରକୁ ମଧ୍ୟ ସେ ଅଙ୍ଗୁଳି ଉଠାଇଛନ୍ତି ।