
ବାରିପଦା,ପ୍ରାୟତଃ ଗ୍ରୀଷ୍ମ ଋତୁ ଆସିଲେ ବିଜୁଳି ବିଭାଗର ଲୁଚକାଳି ଖେଳ ଆରମ୍ଭ ହୋଇଯାଇଥାଏ । ଆକାଶରେ ମେଘ ଉଠାଇଲେ ଅଥବା ସାମାନ୍ୟ ପବନ ହେଲେ ବିଜୁଳି କାଟ ଆରମ୍ଭ ହୁଏ । ପୁଣି କେତେବେଳେ ବିଦ୍ୟୁତ୍ ସରବାରାହ ଆସିବ ତାହା ବିଭାଗର ମର୍ଜି ଉପରେ ନିର୍ଭର କରିଥାଏ । ପୁଣି ତାପମାତ୍ରା ବୃଦ୍ଧି ପାଇଲେ ମଧ୍ୟ ବିଦ୍ୟୁତ୍ କାଟ୍ ହୋଇଥାଏ । ଟ୍ରିପ କରୁଛି, ସଟ୍ ଡାଉନ ଓ ବ୍ରେକ ଡ଼ାଉନ ନାମରେ ମଧ୍ୟ ଏହା ଜାରି ରହିଥାଏ । ଏହି ସମୟରେ ଗତକାଲି ଅପରାହ୍ନ ୪ଟାରୁ ବାରିପଦା ସହରରେ ବିଦ୍ୟୁତର ଲୁଚକାଳି ଖେଳ ଆରମ୍ଭ ହୋଇ ରାତି ୮.୧୨ ମିନିଟ ପର୍ଯ୍ୟନ୍ତ ଜାରି ରହିଥିଲା । ମଝିରେ ମଝିରେ ଅଧ ମିନିଟ, ଏକ ମିନିଟ ଆସି ଉପଭୋକ୍ତାମାନଙ୍କୁ ସାନ୍ତ୍ୱନା ଦେଇ ପୁଣି ଗାଏବ ହୋଇ ଯାଉଥାଏ । ତେବେ ବାରିପଦା ପୌରପରିଷଦର ୫ ନମ୍ବର ୱାର୍ଡ଼ସ୍ଥିତ ଦୋଳି ପଡ଼ିଆଠାରେ ଥିବା ଏକ ସବଷ୍ଟେସନର ଟ୍ରାନ୍ସଫର୍ମର କୁଆଡ଼େ ପୋଡ଼ି ଯାଇଥିଲା ଓ ତାର ମରାମତି ଚାଲିଥିବାରୁ ବିଦ୍ୟୁତ୍ କାଟ ହୋଇଥିବାର କୁହାଯାଇଛି । ତେବେ ସହରରେ ତାପମାତ୍ରା ୪୪.୬ ଡ଼ିଗ୍ରୀ ଛୁଇଁ ସାରିଥିବା ବେଳେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏଭଳି ଘନ ଘନ ବିଦ୍ୟୁତ୍ କାଟରେ ଅତିଷ୍ଠ ହୋଇପଡିଛନ୍ତି ଜନସାଧାରଣ । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ । ବିଭାଗୀୟ ଉଚ୍ଚ ପଦାଧିକାରୀ ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି ।