କନ୍ଧମାଳ, କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଚଂଳର ଡ଼ାକପାଲ ସ୍କୁଲସାହି ୬ ଜଣ ଏବଂ ମାଷ୍ଟରପଡ଼ା ଅଂଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକପାଲର ସ୍କୁଲସାହି ଏବଂ ମାଷ୍ଟରପଡ଼ାର ସଂକ୍ରମିତ ବ୍ୟକ୍ତିଙ୍କ ଘରକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଆଜି ଠାରୁ ଏସବୁ ଅଂଚଳରୁ କେହି ବାହାରକୁ ଆସି ପାରିବେ ନାହିଁ କିମ୍ବା ବାହାରର ଲୋକ କେହି ସମ୍ପୃକ୍ତ ଅଂଚଳକୁ ଯାଇପାରିବେ ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଏହି କଂଟେନମେଂଟ ଅଂଚଳର ଲୋକଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଜଣାପଡିଛି । ତେଣୁ ସମ୍ପୃକ୍ତ ଅଂଚଳର ଲୋକେ ସେମାନଙ୍କ ପରିଚିତ ଓ ବନ୍ଧୁ ବର୍ଗଙ୍କ ଜରିଆରେ ଅତ୍ୟାବଶ୍ୟକ ସାମଗ୍ରୀ ବାହାରୁ କିଣି ସଂଗ୍ରହ କରୁଥିବା ଜଣାପଡିଛି । ଜିଲ୍ଲାରେ ଆଜି ସୁଦ୍ଧା ମୋଟ୍ କରୋନା ସଂକ୍ରମିତ ୬୦୩୩ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୫୯୨୧ ଜଣ ସୁସ୍ଥ ହୋଇଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୩ ରହିଛି । ତେବେ ସପ୍ତାହକ ମଧ୍ୟରେ ମୋଟ୍ ୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି ।