
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନା ଅନ୍ତର୍ଗତ କଇଥଖୋଳା ଦଣ୍ଡା ଗାଁ ନିକଟ କ୍ଷେତ ମଧ୍ୟରୁ ଜଣେ ବୃଦ୍ଧଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ଘଟଣାସ୍ଥଳରେ ସାଇଂଟିଫିକ୍ ଟିମ୍ ପହଂଚି ତଦନ୍ତ କରିଛନ୍ତି । ମୃତଦେହ ନିକଟରେ ଏକ ବଡ ପଥର ଓ ହାତୁଡ଼ି ପଡିଥିବାର ଦେଖିବାକୁ ମିଳିଛି । ଏହାକୁ ପୋଲିସ ଜବତ କରିଛି । ଦୁର୍ବୃତ ମାନେ ତାଙ୍କୁ ପଥରରେ ଛେଚିବା ସହିତ ହାତୁଡ଼ିରେ ପିଟି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବୃଦ୍ଧ ଜଣକ ଗତକାଲି କୌଣସି କାମରେ ବାହାରକୁ ଯାଇଥିବା ବେଳେ ରାତିରେ ଘରକୁ ଫେରିନଥିଲେ । ଆଜି ସକାଳେ ତାଙ୍କ ମୃତଦେହ କଇଥଖୋଳା ଦଣ୍ଡା ଗାଁ ନିକଟ କ୍ଷେତ ମଧ୍ୟରେ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ । ବୃଦ୍ଧଙ୍କ ଘର ସେହି ଥାନା ଅନ୍ତର୍ଗତ ଡ଼ିମିରିପଙ୍କ ଗ୍ରାମରେ ବୋଲି ଜଣାପଡିଛି । ବଡଗଡ଼ ଥାନା ପୋଲିସ ଏ ସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜ୍ଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।