-
ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ, ଗୃହ ବାରମ୍ବାର ମୁଲତବୀ
୧୧.୩୦ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେଲାତ୍ତମାତ୍ରେ ସେହି ସମାନ ସ୍ଥିତି ଦେଖା ଦେଇଥିଲା । କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ପୁଣି ଥରେ ବିଜୁଳି ଦର ବୃଦ୍ଧିର ପ୍ରତିବାଦ କରିଥିଲେ । ଅନ୍ୟ ପକ୍ଷରେ ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କୁ କହିବାକୁ ଅନୁମତି ଦେଇଥିଲେ । ଶ୍ରୀ ନାଏକ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଲେଖିଥିବା ଚିଠିର ଉଲ୍ଲେଖ କରି କହିଥିଲେ ଯେ ପ୍ରଧାନନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ଲଗା ଯାଇ ପାରିବ ନାହିଁ । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ନାଗେନ୍ଦ୍ର ନାଥ ସିହ୍ନା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖି ଏବାବଦରେ ଜଣାଇଛନ୍ତି ।
ସେହିପରି ସେ ବିଜୁଳି ଦର ବୃଦ୍ଧି ପାଇଁ ନିଷ୍ପତିର ପ୍ରତିବାଦ କରିଥିଲେ । ସେ କହିଥିଲେ ବର୍ତମାନ ଖରା ଦିନରେ ବିଜୁଳିର ଦର ବୃଦ୍ଧି କରା ଯାଇଛି । ଏହା ଆଦୌ ଗ୍ରହଣୀୟ ନୁହେଁ । ଏହାକୁ ତୁରନ୍ତ ପ୍ରତ୍ୟାହାର କରା ଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ବିଜୁଳି ଦର ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ଓ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସେ କହିଥିଲେ ଯେ ଗତ କିଛି ଦିନ ତଳେ ୨୦ ପଇସା ପ୍ରତି ୟୁନିଟ ଦର ବୃଦ୍ଧି ହୋଇଥିଲା ଓ ଏବେ ପୁଣି ଥରେ ୩୦ ପଇସା ଦର ବୃଦ୍ଧି ଘଟିଛି । ଏହା ସାଧାରଣ ଲୋକଙ୍କୁ ଖୁବ ବାଧୁଛି । ପେଟ୍ରୋଲ, ଡିଜେଲ ଠାରୁ ଇନ୍ଧନ ଗ୍ୟାସ ତଥା ଖାଇବା ତେଲର ଅହେତୁକ ଦର ବୃଦ୍ଧି କାରଣରୁ ଲୋକ ମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ସେ କହିଛନ୍ତି ଯେ ରାଜ୍ୟ ସରକାର ଏହି ନିଷ୍ପତି ଓଇଆରସିର ବୋଲି କହି ପାରନ୍ତି । ହେଲେ ସରକାର ଏଥି ପାଇଁ ଉତରଦାୟୀ । ସରକାର ଏଥିରୁ ଖସି ଯାଇ ପାରିବେ ନାହିଁ । ଆଜି ବିନି.ୟୋଗ ବିଲ ଥିବାରୁ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ । ହେଲେ ରାଜ୍ୟର ଲୋକ ମାନଙ୍କର ଏହି ପ୍ରସଙ୍ଗର ସମାଧାନ ହେବା ଜରୁରୀ । ତେଣୁ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକନ୍ତୁ ବୋଲି ସେ କହିଥିଲେ । ଏହା ପରେ ବାଚସ୍ପତି ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ପରେ ଗୃହ ଆଉ ତିନିଥର ମୁଲତବୀ ହୋଇଥିଲା । ୧୨.୨୪ରୁ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ ।