
ପୁରୀ, ପିପିଲି ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥି ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ପିପିଲି ପାର୍ଟି ଅଫିସ୍ ନିକଟରୁ ପୁରୀ ଅଭିମୁଖେ ବାହାରିଥିଲା । ରାଲିରେ ଏକ ଖୋଲା ଚାରିଚକିଆରେ ରୁଦ୍ର ପିପିଲିରୁ ବାହାରିଥିଲେ । ତାଙ୍କୁ ପିପିଲି, ଦାଣ୍ଡମୁକୁନ୍ଦପୁର, ମଙ୍ଗଳପୁର, ସାତଶଙ୍ଖ ଓ ଅଠରନଳା ଠାରେ ଦଳୀୟ କର୍ମକର୍ତା, ପ୍ରଶଂସକ ଓ ଶୁଭେଚ୍ଛୁ ମାନେ ରାସ୍ତା କଡ଼ରେ ଛିଡା ହୋଇ ହାତ ହଲାଇ ସ୍ୱାଗତ ଜଣାଇଥିଲେ । ଏହି ସମୟରେ ରୁଦ୍ର ମଧ୍ୟ ଅତ୍ୟନ୍ତ ବିନମ୍ର ଭାବେ କରହସ୍ତ ଯୋଡ଼ି ଶୁଭେଚ୍ଛୁଙ୍କୁ ପ୍ରଣିପାତ କରୁଥିବା ଦେଖିବାକୁ ମିଳିଥିଲା । ମହିଳା କର୍ମୀ ମାନେ ହୁଳହୁଳି ପକାଇ ତାଙ୍କୁ ସ୍ୱାଗତ ଜଣାଇଥିଲେ । ରୁଦ୍ରଙ୍କ ଏହି ରାଲି ବିରୋଧୀଙ୍କୁ କିଛି ମାତ୍ରା ହତୋତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ସମର୍ଥକ ମାନେ ରୁଦ୍ରଙ୍କ ଏହି ଶୋଭାଯାତ୍ରାକୁ ଦେଖି ଦିବଂଗତ ରାଜନେତା ତଥା ତାଙ୍କ ପିତା ପ୍ରଦୀପ ମହାରଥିଙ୍କୁ ମନେ ପକାଇଥିବା ପରିଲକ୍ଷିତ ହୋଇଥିଲା ।