ଭୁବନ, ଭୁବନ ସହର ଦେଇ ଯାଇଥିବା ୨୦୦ ନମ୍ବର ଜାତୀୟ ରାଜପଥ ନମ୍ବର ପରିର୍ବତନ ହୋଇ ପ୍ରଥମେ ୫୩ ନମ୍ବର ଜାତୀୟ ରାଜପଥକୁ ପରିବର୍ତନ ହେଲା ଏହାପରେ ଏହି ରାସ୍ତା (ଏନଏଚଏଆଇ) ଜାତୀୟ ରାଜପଥ ପ୍ରାଧିକରଣ ଭାରତ ସରକାରଙ୍କ ଅଧିନକୁ ଗଲାପରେ ଏବେ ୪ ଥାକିଆ ରାସ୍ତାକାମ ଓ ବାଇପାସ ନିର୍ମାଣ ଚାଲିଥିବା ବେଳେ କୋଟି କୋଟି ଟଙ୍କାର ମାଟି ମୋରମ ଲୁଟ ହେଉଛି । ଭୁବନ ତହସିଲ ତରଫରୁ ଏନଏଚ ଠିକା କାମ କରୁଥିବା ବାଲାଜି କନଷ୍ଟ୍ରକସନ କମ୍ପାନୀକୁ କୌଣସି ଠାରେ ମାଟି କିମ୍ବା ମୋରମ ଖଣି ଲିଜ୍ ଦିଆଯାଇନଥିବାବେଳେ ପ୍ରତିଦିନ ରାତିରେ ଶହଶହ ଟ୍ରିପ ମାଟି ମୋରମ ଚୋରା ଚାଲାଣ କରାଯାଇ ରାସ୍ତା କାର୍ଯ୍ୟରେ ବ୍ୟବହାର ହେଉଛି । ତହସିଲ ପ୍ରଶାସନ ତରଫରୁ ବାଲାଜି କନଷ୍ଟ୍ରକସନକୁ ଯେତେଥର ଫାଇନ କରାଯାଉଛି ସଂପୃକ୍ତ କମ୍ପାନୀ ଫାଇନ ଭରଣା କରିବା ସକାଶେ ସେତେ ଅଧିକ ମାଟି ମୋରମ ଚୋରି କରିବାରେ ଲାଗିଛି । ଏହି ୪ ଥାକିଆ ରାସ୍ତା କାମରେ କେବଳ ବିଲ ମାଟି ସାଙ୍ଗକୁ ପ୍ରବଳ ମାତ୍ରାରେ ବେଆଇନ ମୋରମ ବ୍ୟବହାର ହେଉଥିବାରୁ ପ୍ରବଳ ଧୂଳିରେ ଲୋକେ ଅଣନିଶ୍ୱାସୀ ହୋଇପଡୁଛନ୍ତି ଓ ଅସରାଏ ବର୍ଷା ପରେ ସଂପୂର୍ଣ୍ଣ ରାସ୍ତା କାଦୁଅରେ ଭର୍ତି ହୋଇଯାଇଛି । । ଭୁବନର ପ୍ରବେଶପଥ ଅନନ୍ତପୁର ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ୮ କିମି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହୋଇଛି । ଏନଏଚ ର କୌଣସି କର୍ତୃପକ୍ଷ ଙ୍କ ଦେଖାଦର୍ଶନ ମିଳୁନଥିବା ବେଳେ ଠିକାକାମ ନେଇଥିବା ବାଲାଜି କନଷ୍ଟ୍ରକସନ କମ୍ପାନୀର ମନମୁଖୀ କାର୍ଯ୍ୟ ଯୋଗୁ ଲୋକେ ଧୂଳିରେ ପୋତି ହୋଇପଡୁଛନ୍ତି ଓ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ଲୋକମାନେ ଧୂଳିଧୂଆଁରେ ପୋତିହେବା ଫଳରେ ବିଭିନ୍ନ ଚର୍ମ ରୋଗ ସମେତ ଶ୍ୱାସ ,କାଶ ରୋଗରେ ମଧ୍ୟ ପୀଡିତ ହେଉଛନ୍ତି । ଗୋଦରା କୋଡେ ଯେତେ ମାଡେ ସେତେ ନ୍ୟାୟରେ ସେପଟେ ୪ ଟିିକିଆ ରାସ୍ତା କାମ ଯେତେ ଅଗ୍ରଗତି ହେଉଛି ଏପଟେ ପୁରୁଣା ରାସ୍ତା ଭାଙ୍ଗିରୁଜି ନଷ୍ଟହୋଇ ଆଣ୍ଠୁଏ ଲେଖାଏଁ ଖାଲ ସୃଷ୍ଟି ହେଉଛି । ରାସ୍ତା କାର୍ଯ୍ୟରେ ବ୍ୟବହୃତ ବାଲାଜି କମ୍ପାନୀ ଗାଡି ସମେତ ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇୱା ଟ୍ରକ ଟାଉନ ଭିତରେ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେବା ସହିତ ପ୍ରବଳ ଧୂଳିଯୋଗୁ ବ୍ୟବସାୟୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ବାଇପାସ ରାସ୍ତା ନିର୍ମାଣ କମ୍ପ୍ଲିଟ ହୋଇ ନଥିବାରୁ ଦୈନିକ ଶତାଧିକ କୋଇଲା ବୋଝେଇ ଟ୍ରକ ଓ ବାଲି ବୋଝେଇ ହାଇୱା ଟ୍ରକ ଚାଲିବା ଫଳରେ ରାସ୍ତା ଅତ୍ୟନ୍ତ ଖରାପ ହେଉଛି । ରାସ୍ତା କାର୍ଯ୍ୟରେ ଲାଗିଥିବା କମ୍ପାନୀ ହାଇୱା ସମେତ ଅନବରତ କୋଇଲା ବୋଝେଇ ୧୦ ଚକିଆ ଟ୍ରକ ଚାଲୁଥିବାରୁ ବିଶେଷ କରି ବାଇକ ଆରୋହୀ ମାନେ ଧୂଳିଧୂଆଁରେ ଅତିଷ୍ଠ ହୋଇପଡୁଛନ୍ତି ଓ ବେଳେବେଳେ ଖାଲରେ ମଧ୍ୟ ପଡୁଛନ୍ତି । ପୂର୍ବରୁ ଏହି ରାସ୍ତାରେ ଦୈନିକ ପାଣି ସଂଚନର ବ୍ୟବସ୍ଥା କରାଯାଉଥିବା ବେଳେ ଦୀର୍ଘ ଦିନ ହେଲା ଆଉ ପାଣି ସିଂଚନ କରାଯାଉନଥିବାରୁ ଲୋକମାନେ ଧୂଳିରେ ଅଣନିଶ୍ୱାସୀ ହୋଇପଡୁଛନ୍ତି । ଅତିତରେ ଏହି ରାସ୍ତାକୁ ନେଇ ଅନେକ ଆନ୍ଦୋଳନ ହୋଇଛି । ଆନ୍ଦୋଳନ ପରେ ବିଭାଗ ତରଫରୁ କେବଳ ଯାହିତାହି ମରାମତି କରି କାମ ସାରି ଦେଉ ଥିବାରୁ ନିର୍ମାଣର କିଛିଦିନ ପରେ ରାସ୍ତା ଅବସ୍ଥା ପୁଣି ଯଥାପୂର୍ବଂ ତଥା ପରମ ହୋଇଯାଉଛି । ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଲୋକଙ୍କ ଅସନନୋଷ ଜନଆନ୍ଦୋଳନ ରୂପ ନେବାର ଆଶଙ୍କା ଉପୁଜିଛି ।