ଗଞ୍ଜାମ, କରୋନାର ଦ୍ୱିତୀୟ ପ୍ରବାହକୁ ନେଇ ପୁଣି ସବୁଠି ଚିନ୍ତା ବଢିଛି । କରୋନା ହଟସ୍ପଟରୁ ମୁକୁଳିଥିବା ଗଞ୍ଜାମ ଜିଲ୍ଲାରେ ଏବେ ପ୍ରତିଦିନ କରୋନା ପଜିଟିଭ୍ ଚିହ୍ନଟ ହେଉଥିବାରୁ ଲୋକଙ୍କ ମନରେ ଛନକା ପଶିଛି । ଅନ୍ୟପକ୍ଷରେ ରାଜ୍ୟରେ ଜିଲ୍ଲା ମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ତାଲିକାରେ କନ୍ଧମାଳ ଓ ଗଜପତି ଜିଲ୍ଲା ମଧ୍ୟ ସାମିଲ୍ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ପ୍ରବାସୀ ମାନେ ଫେରିବା ପରେ ଗଞ୍ଜାମ ଜିଲ୍ଲାରେ ଗତ ବର୍ଷ ମଇ ୨ ତାରିଖ ଠାରୁ କରୋନା କାୟା ବିସ୍ତାର କରିଥିଲା । ଏବେ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଛି, କିନ୍ତୁ ଗତ ୧୦ ତାରିଖ ଠାରୁ ଜିଲ୍ଲାରେ ପ୍ରତ୍ୟେକ ଦିନ କିଛି ନୂଆ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ସକ୍ରିୟ ସଂଖ୍ୟା ଇତିମଧ୍ୟରେ ୧୫ ରେ ପହଂଚିଲାଣି । କିନ୍ତୁ, ମୁମ୍ବାଇ ଓ ସୁରତରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଗଞ୍ଜାମ ପାଇଁ ଚିନ୍ତା ବଢିଛି । ମୁମ୍ବାଇ ଓ ସୁରତରୁ କିଛି ପ୍ରବାସୀ ଗାଁକୁ ଫେରୁଥିବାରୁ ସେଥିପ୍ରତି ସତର୍କ ନହେଲେ ପୁଣି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି । ଜିଲ୍ଲାରେ ଆଜି ସୁଦ୍ଧା ସମୁଦାୟ ୨୧ ହଜାର ୯୩୯ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୬୭୩ ଜଣ ସୁସ୍ଥ ହୋଇଛନ୍ତି । ୨୪୮ ଜଣଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାରେ ଅଦ୍ୟାବଧି ୭ ଲକ୍ଷ ୯୬ ହଜାର ୪୦୫ ଜଣ ଲୋକଙ୍କ କୋଭିଡ଼୍ ପରୀକ୍ଷା ହୋଇଛି । ଅନ୍ୟପକ୍ଷରେ ଗଜପତି ଓ କନ୍ଧମାଳ ଜିଲ୍ଲା ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଛନ୍ତି । ଗଜପତି ଜିଲ୍ଲାରୁ ଜଣେ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗଜପତି ଜିଲ୍ଲାରେ ଆଜି ସୁଦ୍ଧା ୪୦ ହଜାର ୮୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୦ ହଜାର ୫୩ ଜଣ ସୁସ୍ଥ ହୋଇଛନ୍ତି । ୩୨ ଜଣଙ୍କ ମୃତ୍ୟୁ ଘଟିଛି । ଗଜପତି ଜିଲ୍ଲା ପଡ଼ୋଶୀ ଆନ୍ଧ୍ର ସୀମାନ୍ତରେ ରହିଛି । ଏଣୁ ଆନ୍ଧ୍ର ଗଜପତି ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରୁଥିବା କୁହାଯାଉଛି । ଏହିଭଳି ଅନେକ ଦିନର ବ୍ୟବଧାନ ପରେ କନ୍ଧାଳ ଜିଲ୍ଲାରୁ ଗତକାଲି ଜଣେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ତାଲିକାରେ ଏହି ଜିଲ୍ଲା ପୁଣି ଥରେ ଯୋଡ଼ି ହୋଇଛି । ଏ ପର୍ଯ୍ୟନ୍ତ କନ୍ଧକାଳ ଜିଲ୍ଲାରୁ ୫୯୫୫ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ୫୯୧୯ ଜଣ ସୁସ୍ଥ ହୋଇଛନ୍ତି । ୩୩ ଜଣଙ୍କ ମୃତ୍ୟୁ ଘଟିଛି ।