ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ ଦୂର୍ଗା ପ୍ରସାଦ ଗ୍ରାମର ହରିହର ଦାଶ ନିଜ ଘର ସାମ୍ନାରେ ଶୋଇଥିବା ବେଳେ ୧୯୯୪ ମଇ ୨୮ ତାରିଖରେ ଅଭିଯୁକ୍ତ ସୁରେନ୍ଦ୍ର ଗୌଡ଼ ତାଙ୍କ ଘରେ ପଶି ଚୋରି ଉଦ୍ୟମ କରିଥିଲେ । ଘରର ମହିଳା ସଦସ୍ୟ ମାନେ ଉଠି ପାଟି କରିବାରୁ ହରିହରଙ୍କ ନିଦ ଭାଙ୍ଗି ଯାଇଥିଲା । ସେ ସୁରେନ୍ଦ୍ରକୁ ଧରିବାକୁ ଉଦ୍ୟମ କରିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଓ ସୁରେନ୍ଦ୍ର ସେଠାରୁ ଖସି ପଳାଇଥିଲେ । ହରିହରଙ୍କ ଏତଲା କ୍ରମେ ଭଞ୍ଜନଗର ଥାନାରେ କେସ୍ ନଂ ୧୧୦/୨୧ ରେ ଏକ ମାମଲା ରୁଜ୍ଜୁ ହେବା ସହ ସୁରେନ୍ଦ୍ରଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ପୋଲିସ । ପରବର୍ତି ସମୟରେ ସୁରେନ୍ଦ୍ର ଜାମିନ୍ ରେ ମୁକୁଳିଥିବା ବେଳେ ବର୍ତମାନ ଦୀର୍ଘ ୨୭ ବର୍ଷ ପରେ ସେହି ମାମଲା ଜିଆର କେସ୍ ନଂ ୨୨୧/୯୪ ବିଚାରଣା କରାଯାଇ ସୁରେନ୍ଦ୍ରକୁ ଭଞ୍ଜନଗର କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୬ ମାସ ଜେଲ୍ ଦଣ୍ଡାଦେଶ ଏବଂ ୧ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦୟେ ତାଙ୍କୁ ଆଉ ଅଧିକ ଏକ ମାସ ଜେଲ୍ ଦଣ୍ଡ ଭୋଗିବାକୁ ହେବ ବୋଲି କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।