ଗଞ୍ଜାମ, ଗୁଜୁରାଟର ସୁରତରେ ଦିନକୁ ଦିନ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ସେଠାରେ ମହାମାରୀ ପ୍ରକୋପ ଯୋତେ ବଢୁଛି ଗଞ୍ଜାମ ପ୍ରତି ବିପଦ ସେତିକି ଘନେଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ଉପରେ ପ୍ରୟାସ ଆରମ୍ଭ କରିଥିଲେ ହେଁ କଡ଼ାକଡ଼ି କଟକଣା ଓ ଆଶାନୁରୂପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇପାରିନାହିଁ । ସେପଟେ ଗତକାଲି ଦିନକରେ କେବେଳ ସୁରତ ସହରରେ ନୂଆ ପଜିଟିଭ୍ ସଂଖ୍ୟା ୫୦୦ ଅତିକ୍ରମ କରିଛି । ଗତ ୨୪ ଘଂଟା ମଧ୍ୟରେ ସୁରତ ମହାନଗର ନିଗମ (ଏସଏମସି) ଇଲାକାରେ ୫୦୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁରତ ଜିଲ୍ଲାରୁ ୬୨୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଣି ୪ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି । ସୁରତ ସ୍ଥିତି ବିଗିଡ଼ିବା ଗଞ୍ଜମ ପାଇଁ ସତର୍କ ଘଂଟି ଭଳି ହୋଇଛି । ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାରେ କରୋନା ପ୍ରକୋପ ରୋକିବା ଓ ସମ୍ଭାବ୍ୟ ଅଂଶୁଘାତ ମୁକାବିଲାକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ହେଡ଼କ୍ୱାର୍ଟର ଛାଡିବା ଉପରେ ଜିଲ୍ଲାପାଳ କଟକଣା ଜାରୀ କରିଛନ୍ତି । ଚଳିତ ମାସ ୨୭ ତାରିଖ ଅର୍ଥା ଆସନ୍ତା କାଲି ଠାରୁ ଅପ୍ରେଲ ୧୫ ତାରିଖ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟଦିବସ ଓ ଛୁଟି ଦିନରେ ଉପରିସ୍ଥ ଅଧିକାରୀଙ୍କ ବିନା ଅନୁମତିରେ ହେଡ଼କ୍ୱାର୍ଟର ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହାର ଅବମାନନା କଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।