କଟକ/ଭୁବନେଶ୍ୱର – ଗତ ୯ ତାରିଖରେ କାଠଯୋଡି ପୋଲରୁ ନଦୀକୁ ଡେଇଁପଡିଥିବା ନିଆଳିର ଦେବବ୍ରତ ମହାପାତ୍ରଙ୍କ ମୃତଦେହ ଦୀର୍ଘ ୭ ଦିନ ପରେ ଠାବ ହୋଇଛି । ବୁଧବାର ଦିନ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବୀ ମୁହାଣ ନିକଟ ରହମ୍ବା ଠାରୁ ତାଙ୍କ ମୃତଦେହ ମିଳିଛି । କଟକ ଗ୍ରାମାଂଚଳ ଏସପି ଶବ ଦେବବ୍ରତଙ୍କର ବୋଲି ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ଦିନ ପ୍ରାୟ ଗୋଟାଏରେ ନିଆଳି କରଂଜ ଅଂଚଳର ଦେବବ୍ରତ ମହାପାତ୍ର ପତ୍ନୀ ଓ ପୁଅ ସହ ବାଇକ୍ ରେ କଟକରୁ ନଖରା ଅଭିମୁଖେ ଆସୁଥିଲେ । ତେବେ ହଠାତ୍ ଦେବବ୍ରତ ନିଜ ବାଇକକୁ କାଠଯୋଡ଼ି ପୋଲ ଉପରେ ଠିଆ କରାଇ ପତ୍ନୀ ଓ ପୁଅଙ୍କ ସମ୍ମୁଖରେ ଭରା ନଈକୁ ଡେଇଁ ପଡ଼ିଥିଲେ । ଏହି ଘଟଣା ଦେଖି ହତବାକ୍ ପତ୍ନୀ ମଧ୍ୟ ୪ ବର୍ଷର ପୁଅକୁ ଧରି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ତେବେ ରାସ୍ତାରେ ଯାଉଥିବା ଜଣେ ମହିଳା ତାଙ୍କୁ ଧରି ପକାଇଥିଲେ । ଉଭୟଙ୍କ ମଧ୍ୟରେ ବଚସା କାରଣରୁ ଦେବବ୍ରତ ନଦୀକୁ ଡେଇଁପଡିଥିବା ଅନୁମାନ କରାଯାଉଛି ।
ଏହି ଖବର ଜଣାପଡିବା ପରେ ଦେବବ୍ରତଙ୍କୁ ଉଦ୍ଧାର ଲାଗି ଅଗ୍ନିଶମ ବାହିନୀର ୩ଟି ପାୱାର ବୋଟ୍ ଓ ଓଡ୍ରାଫ୍ ଟିମର ଗୋଟିଏ ପାୱାର ବୋଟ୍ ସହ ୨ ଜଣ ସ୍କୁବା ଡାଇଭରଙ୍କ ସହାୟତା ନିଆଯାଇଥିଲା । ପ୍ରାୟ ୩ ଦିନ ଧରି ଖୋଜା ଖୋଜି ପରେ ମଧ୍ୟ ଦେବବ୍ରତଙ୍କ ପତା ମିଳିନଥିଲା ।