-
ନାଟକ ଦେଲା ଅହିଂସାର ବାର୍ତ୍ତା
ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କ ଅତି ନିବିଡ । ଓଡ଼ିଶାକୁ ବହୁତ ଭଲ ପାଉଥିଲେ ଗାନ୍ଧିଜୀ ।୧୯୨୧ ରୁ ୧୯୩୮ ମସିହା ମଧ୍ୟରେ ୮ ଥର ସେ ଓଡ଼ିଶା ଆସିଥିଲେ । ୧୯୨୧ ମାର୍ଚ୍ଚ ୨୩ ରେ କସ୍ତୁରବାଙ୍କ ସହ କଟକରେ ପହଞ୍ଚିଲେ ଗାନ୍ଧିଜୀ । ମାର୍ଚ୍ଚ ୨୬ ରେ ସତ୍ୟବାଦୀ ଦେଇ ପୁରୀରେ ପହଞ୍ଚିଥିଲେ । ଗାନ୍ଧିଜୀଙ୍କ ଓଡ଼ିଶା ଗ୍ରସ୍ତର ମୁଖ୍ୟ ସୂତ୍ରଧର ଥିଲେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ।ଗାନ୍ଧିଜୀଙ୍କ ବିଭିନ୍ନ ସଭାରେ ଗୋପବନ୍ଧୁଙ୍କ ସମେତ ପଣ୍ଡିତନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀଏବଂ ରମାଦେବୀ ଆଦି ଅନେକ ମହାପୁରୁଷ ସାମିଲହୋଇଥିଲେ । ଚଳିତବର୍ଷ ଓଡ଼ିଶା ପାଳନ କରୁଛି ଗାନ୍ଧିଜୀଙ୍କଓଡ଼ିଶା ଆଗମନୀ ଶତବାର୍ଷିକୀ । ଏହି ଅବସରରେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ଜିଲା ସଂସ୍କୃତିପରିଷଦ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମଙ୍ଗଳବାର ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ମଞ୍ଚସ୍ଥ ହୋଇଛି ନାଟକ ଗାନ୍ଧୀଙ୍କ ଓଡ଼ିଶା । ରଙ୍ଗଶାଳା ପକ୍ଷରୁ ପରିବେଷିତ ଏହି ନାଟକ ଅହିଂସାର ବାର୍ତ୍ତା ଦେଇଛି । ଅତିରିକ୍ତ ଜିଲାପାଳ(ରାଜସ୍ୱ) ସୁବାସ ଚନ୍ଦ୍ର ନାଥଶର୍ମା ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ରଙ୍ଗଶାଳା ନିର୍ଦ୍ଦେଶକ ବିକ୍ରମ କୁମାର ସାହୁ ଉପସ୍ଥିତ ଥିଲେ।୭୦ଜଣ କଳାକାର ସେଥିରେ ଅଭିନୟ କରିଥିଲେ । ବିକାଶ ଦତ୍ତ, ସମୀର ଶତପଥୀ, ଦୀପୁନ ତ୍ରିପାଠୀ, ପ୍ରଭୁପାଦ ମହାପାତ୍ର ଓ ଗଣେଶ୍ୱର ଦାସ ମଞ୍ଚ ପରିଚାଳନା କରିଥିଲେ । କଳାକାରଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ଓ ନିଖୁଣ ହୋଇଥିଲା । ଦର୍ଶକଙ୍କ ତାହା ହୃଦୟସ୍ପର୍ଶୀ ହୋଇପାରି ଥିଲା ।