ପୁରୀ,ମଙ୍ଗଳବାର ଫାଲ୍ଗୁନ ଶୁକ୍ଳ ନବମୀ ଯୁକ୍ତ ଦଶମୀ ତିଥି ଅବସରରେ ରତ୍ନସିଂହାସନାରୁଢ଼ ଶ୍ରୀ ବିଗ୍ରହ ମାନଙ୍କର ମନୋରମ ଚାଚେରୀ ବେଶ ମଧ୍ୟାହ୍ନ ଧୂପ ପରେ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଅଛି । ଫାଲ୍ଗୁନ ମାସ ଦଶମୀ ଠାରୁ ଚତୁର୍ଦ୍ଦଶି ପର୍ଯ୍ୟନ୍ତ ପ୍ରତିଦିନ ମଧ୍ୟାହ୍ନ ଧୂପ ପରେ ଠାକୁର ମାନଙ୍କ ଚାଚେରୀ ବେଶ ଅନୁଷ୍ଠିତ ହୋଇଥାଏ । ଚଳିତ ମାସ ଚତୁର୍ଦ୍ଦଶୀ କ୍ଷୟ ଥିବାରୁ ନବମୀ ଯୁକ୍ତ ଦଶମୀ ତିଥିରେ ମହାପ୍ରଭୁଙ୍କ ଚାଚେରୀ ବେଶ ଆରମ୍ଭ ହୋଇଅଛି । ମହାପ୍ରଭୁଙ୍କ ଏହି ବେଶଟି ଆନନ୍ଦ ଉଲ୍ଲାସମୟ ଦୋଳଉତ୍ସବ କାଳୀନ ବିଶେଷ ବେଶ, ଆଜି ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ସରିବାପରେ ତିନି ବାଡ଼ରେ ମଇଲମ ହୋଇ ନାଲି ପାଟବସ୍ତ୍ର ଲାଗି ହୋଇଥିଲେ |ଏହାପରେ ପାଳିଆ ମେକାପ ଭଣ୍ଡାର ଘର ଠାରୁ ଚନ୍ଦନ ଆଣିବାରେ ତିନି ବାଡ଼ରେ ସର୍ବାଙ୍ଗ ନୀତି ବଢିଥିଲା |ରତ୍ନ ସିଂହାସନରେ ତିନି ବାଡ଼ରେ ତିନି ଠାକୁରଙ୍କ ର ଚାଚେରୀ ବେଶ ବଢିବା ପୂର୍ବରୁ ମାହାଜନ ଙ୍କ ଦ୍ଵାରା ଭୂଦେବୀ, ଶ୍ରୀଦେବୀ ଦଖିଣି ଘରକୁ ବିଜେ ହୋଇ ବେଶ ହୋଇଥିଲେ |
ବେଶ ବଢି ପାଣି ପଡିଲା ପରେ ଚାଚେରୀ ଭୋଗ ଛାମୁକୁ ଆସିଥିଲା, ପରେ ଭୂଦେବୀ, ଶ୍ରୀଦେବୀ ଏବଂ ଦୋଳଗୋବିନ୍ଦ ସିଂହାସନ କୁ ବିଜେ ହେଲାପରେ ପଞ୍ଚୋପଚାର ରେ ଚାଚେରୀ ଭୋଗ ବଢିଥିଲା | ପାଣି ପଡିଲା ପରେ ପୂଜାପଣ୍ଡା , ପତି ମହାପାତ୍ର ଓ ମୁଦିରସ୍ତ ଙ୍କ ଦ୍ଵାରା ଫଗୁ ଲାଗି ସହ ବନ୍ଦାପନା ହୋଇଥିଲେ | ଏହାପରେ ଆଜ୍ଞା ମାଳ ପାଇବାପରେ ଶ୍ରୀଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ବିମାନରେ ବିଜେ ହୋଇ ଜଗନ୍ନାଥ ବଲ୍ଲବ ମଠ କୁ ବିଜେ କରିଥିଲେ | ଠାକୁର ମାନଙ୍କ ବିଜେ ପରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଆଳତି ବଢି ସନ୍ଧ୍ୟା ଧୂପ ନିମନ୍ତେ ପାଣି ପଡିଥିଲା |ଜଗନ୍ନାଥ ବଲ୍ଲବରେ ଜଉ ଡାଵ ଖେଳ,ଫଗୁ ବନ୍ଦାପନା, ଶିତଳ ଭୋଗ ସରିବାପରେ ବିଜେ ପ୍ରତିମା ମାନେ ଶ୍ରୀମନ୍ଦିରକୁ ବାହୁଡା ବିଜେ କରି ପାଣି ଲାଗି ହୋଇ ଭୂଦେବୀ, ଶ୍ରୀଦେବୀ ରତ୍ନ ସିଂହାସନକୁ ଏବଂ ଦୋଳ ଗୋବିନ୍ଦ ଦଖିଣି ଘରକୁ ବିଜେ କରିଥିଲେ । ଏହାପରେ ମହାପ୍ରଭୁଙ୍କ ପରବର୍ତ୍ତି ନୀତି ମାନ ଅନୁଷ୍ଠିତ ହୋଇ ମହାପ୍ରଭୁଙ୍କ ରାତ୍ର ପହୁଡ଼ ଅନୁଷ୍ଠିତ ହୋଇଛି |