ଭୁବନେଶ୍ୱର,ଶିଳ୍ପମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଅ ବରିଷ୍ଠ ଅଧିକାରୀଙ୍କ ଗହଣରେ ଆସି ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି । କଳିଙ୍ଗ ଷ୍ଟୁଡିଓର ପୁନଃବିକାଶ କାର୍ଯ୍ୟକୁ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବେ । ଏହି ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଷ୍ଟୁଡିଓ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ୨୦୦ କୋଟି ଅର୍ଥ ମଞ୍ଜୁର କରିଛନ୍ତି । ଶିଳାନ୍ୟାସ କାର୍ଯ୍ୟକ୍ରମରେ କେବଳ ସୀମିତ ସଂଖ୍ୟକ ସିନେ କଳାକାର ଓ ସିନେଜଗତ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । କୋଭିଡ ନିୟମ ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିସହିତ ଷ୍ଟୁଡିଓକୁ ନେଇ କରାଯାଇଥିବା ପରିକଳ୍ପନାର ନକ୍ସାକୁ ମଡେଲ ଭାବରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ ପ୍ରଦର୍ଶନ କରାଯିବ । କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ମନ୍ତ୍ରୀ କ୍ୟାପଟେନ୍ ମିଶ୍ର ସନ୍ତୋଷ ପ୍ରକାଶ କରିଥିଲେ । ଏହି ସମୀକ୍ଷାବେଳେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ସିଂହ, ଇପିକଲ୍ର ପରିଚାଳନା ନିର୍ଦ୍ଦେଶକ ନିତିନ ଭାନୁଦାସ ଜାୱଲେ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଶ୍ରୀ କୁନା ତ୍ରିପାଠୀ ଓ ନିଗମର ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।