ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପୁରୁଷୋତମପୁରରେ ପାହାଡ଼ ଉପରେ ଅଧିଷ୍ଠିତା ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆସନ୍ତା ୩୦ ତାରିଖ ମଙ୍ଗଳବାର ଠାରୁ ମୋଟ୍ ୫ଟି ମଙ୍ଗଳବାର ଅନୁଷ୍ଠିତ ହେବ । ସେଗୁଡିକ ହେଲା ମାର୍ଚ୍ଚ ୩୦, ଅପ୍ରେଲ ୬, ୧୩, ୨୦ ଓ ୨୭ ତାରିଖ । ଏହି ଦିନ ମାନଙ୍କରେ ମାଙ୍କ ଚୈତ୍ର ମେଳା ଅନୁଷ୍ଠିତ ହେବ । ଏହାକୁ ସୁଚାରୂ ରୂପେ ପରିଚାଳନା କରିବା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭକ୍ତ ମାନେ ଶୃଙ୍ଖଳିତ ଭାବେ ମାଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା, ମାନସିକଧାରୀଙ୍କ ନିମନ୍ତେ ସୁବିଧା ସମେତ ଆଇନ ଶୃଙ୍ଖଳା, ପାନୀୟ ଜଳ ସୁବିଧା, ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବା, ଶ୍ରଦ୍ଧାଳୁ ମାନେ ସମସ୍ତେ ମୁହଁରେ ମାସ୍କ ପରିଧାନ କରିବା ଓ ସାମାଜିକ ଦୂରତା ରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି । ତେବେ ଜିଲ୍ଲା ବାହାରର ଶ୍ରଦ୍ଧାଳୁଙ୍କୁ ଏହି ଯାତ୍ରାରେ ଯୋଗଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।