
ଦିଗପହଣ୍ଡି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନିକଟରୁ ସୋମବାର ଦିନ ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ବାଇକ ଡିକି ଚାବି ଖୋଲି କୈଣସି ଦୁର୍ବୁତ୍ତ ଜଣେ ଚାଷୀଙ୍କ ୨ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟର ଶିକାର ହୋଇଥିବା ଚାଷୀ ଜଣକ ହେଲେ ଗୁହାଳପୁର ଗ୍ରାମର ସତ୍ୟନାରାୟଣ ଅଧିକାରୀ ଖବର ପାଇ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ ଘଟଣା ସ୍ଥଳରେ ପହଞ୍ଚି ସବିଶେଷ ତଦନ୍ତ କରିବା ସହ ୨ ଜଣ ସନ୍ଦିଗ୍ଧ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି।
ଏ ନେଇ ସତ୍ୟନାରାୟଣଙ୍କ ଏତାଲା କ୍ରମେ ଥାନା ମାମଲା ନଂ ୨୦୭/୧୯ ଦଫା ୩୭୯ ଅନୁଯାୟୀ ମକଦ୍ଦମା ରୁଜ୍ଜୁ କରାଯାଇଛି। ସତ୍ୟନାରାୟଣଙ୍କ କହିବା ପ୍ରକାରେ ସେ ଧାନ ବିକ୍ରି କରି ପାଇଥିବା ୨ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ଦିଗପହଣ୍ଡି ଆନ୍ଧ୍ର ବ୍ୟାଙ୍କକୁ ଆସିଥିଲେ । ତାଙ୍କର ପାନ୍ କାର୍ଡ ନଥିବାରୁ ଶାଖା ପରିଚାଳକ ମନା କରିଦେଇଥିଲେ ।ସେ ଟଙ୍କା ଫେରସ୍ତ ଆଣି ବାଇକ ଡିକିରେ ରଖି ଷ୍ଟେଟ ବ୍ୟାଙ୍କକୁ
ଯାଇଥିଲେ ।
ବ୍ଯାଙ୍କ ଭିତରକୁ ଯାଇ ଟଙ୍କା ଜମା ସଂପର୍କରେ କର୍ମଚାରୀଙ୍କ ସହ ଆଲୋଚନା କରି ଫେରିବା ବେଳେ ବାଇକ ଡିକି ଖୋଲା ଥିବା ଦେଖି ସେ ହତଚକିତ ହୋଇପଡ଼ିଥିଲେ। ପରେ ଥାନାରେ ପହଞ୍ଚି ଏତଲା ଦେଇଥିଲେ ।ପୋଲିସ ବ୍ୟାଙ୍କ ସିସିଟିଭି ଫୁଟେଜକୁ ଯାଞ୍ଚ କରିଛନ୍ତି। ଖୁବ୍ ଶୀଘ୍ର ଅଭିଯୁକ୍ତ ଧରା ପଡି ଯିବେ ବୋଲି ଆଇଆଇସି କହିଛନ୍ତି ।
ରିପୋର୍ଟ ପ୍ରଫୁଲ ସାବତ