

ନିର୍ଧାରିତ କାର୍ଯ୍ୟ ସୂଚୀ ଅନୁଯାୟୀ ଗୃହର ବୈଠକ ୧୦.୩୦ରେ ଆରମ୍ଭ ହେବା ମାତ୍ରେ ବିଜେପି ପକ୍ଷରୁ ଉକ୍ତ ଘଟଣାକୁ ନେଇ ହୋ ହାଲ୍ଲା କରା ଯାଇଥିଲା । ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଏହି ସରକାରଙ୍କ ଶାସନକାଳରେ ନ୍ୟାୟ ଅଲଗା ଅଲଗା ହୋଇ ପାରିବ ନାହିଁ । ଯେ ଶାସକ ଦଳକୁ ସମର୍ଥନ କରିବ ତାକୁ ସବୁ ମାଫ । ବିଜେପୁର ଉପ ନିର୍ବାଚନ ବେଳେ ତାଙ୍କ ଦଳର ନେତା ଜୟ ନାରାୟଣ ମିଶ୍ରଙ୍କୁ ହତ୍ୟା ଘଟଣାରେ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଘରୁ ଉଠାଇ ଜେଲରେ ପୁରାଇ ଦେଲା । ଆଇନ ମନ୍ତ୍ରୀଙ୍କ କ୍ଷେତ୍ରରେ ତାହା ଦେଖା ଯାଇ ନାହିଁ । ନୟାଗଡ ପରୀ ମାମଲାରେ ବାବୁଲା ନାଏକ ଓ ଅନ୍ୟ ମାନଙ୍କ ବିରୁଦ୍ଧରେ ଏତାଲା ହୋଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରା ଗଲା ନାହିଁ । ସେମାନେ ସାଧାରଣରେ ବୁଲୁଛନ୍ତି । ସାଧାରଣ ଚୋରୀ ମାମଲାରେ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚାରା ଉଚୁରା କରି ଗିରଫ କରୁଛି । ତେବେ ଆଇନ ମନ୍ତ୍ରୀଙ୍କ ନାମରେ ଏପରି ହତ୍ୟା ଅଭିଯୋଗ ଥିବା ବେଳେ ସେ କିପରି ଗୃହ ଭିତରେ ବସିବେ । ବର୍ତମାନ ସୁଦ୍ଧା ସରକାର ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାହିଁକି କରା ଯାଇ ନାହିଁ ।
ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଥିଲେ ଯେ ଏତାଲାରେ ନାମ ଥିଲେ ଜଣେ ଦୋଷୀ ହୋଇ ଯାଏ ନାହିଁ । ଆପାତତ ପ୍ରମାଣ ମିଳିଲେ ବା ଚାର୍ଜଶୀଟ ହୋଇ ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଗୃହ ଭିତରେ ବସିବାକୁ ଅନୁମତି ଦିଆ ଯିବ ନାହିଁ । ବାଚସ୍ପତିଙ୍କ ଏହି ବକ୍ତବ୍ୟରେ ବିଜେପି ବିଧାୟକ ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
ଶ୍ରୀ ନାଏକ କହିଥିଲେ ଯେ ପ୍ରଫୁଲ୍ଲ ସାମଲକୁ ଯୋଜନାବଦ୍ଧ ଭାବେ ହତ୍ୟା କରା ଯାଇଛି । ଘଟଣାର ଠିକ ଭାବେ ତଦନ୍ତ କରା ଯିବା ଆବଶ୍ୟକ ।
କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଖରାପ ରହିଛି । ଏବେ ଚାଷୀ ନେତାଙ୍କୁ ମାଡ ମରା ଯାଇଛି । ଏହା ଠିକ ହୋଇ ନାହିଁ । ଏହା ବିରୁଦ୍ଧରେ ସରକାର ପଦକ୍ଷେପ ନେବା ଆବଶ୍ୟକ ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ମାହାଙ୍ଗା ହତ୍ୟା ମାମଲାକୁ ନେଇ କଂଗ୍ରେସ ଗୃହରେ ଆନ୍ଦୋଳନ କରିଥିଲା । ଏହା ସତ୍ୱେ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇ ନାହିଁ । ବାଚସ୍ପତି ଏହାକୁ ନେଇ ଯେଉଁ ମନ୍ତବ୍ୟ ରଖିଛନ୍ତି ତାହା ସହ ସେ ଏକମତ ନୁହନ୍ତି । ମାହାଙ୍ଗା ହତ୍ୟା ମାମଲାରେ ସାମିଲ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉା ଏହାକୁ ନେଇ ଯୁକ୍ତିତର୍କ ଲାଗିବା କାରଣରୁ ବାଚସ୍ପତି ଗୃହର ସୁପରିଚାଳନା ପାଇଁ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ଏହା ପରେ ବାଚସ୍ପତି ଗୃହକୁ ୧୧.୪୭ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।