
ଭୁବନେଶ୍ୱର, ଶ୍ରୀ ଶ୍ରୀ ମା’ ଡାଳଖାଇ ଆଂଚଳିକ ଓଡ଼ିଶୀ ସଂକୀର୍ତନ ସମିତି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ଶତବାର୍ଷିକ ପାଳନ କରାଯାଇଛି । ମଣ୍ଡଳ ତରଫରୁ ରବିବାର ପ୍ରତ୍ୟୁଷରୁ ବାଳକାଟିସ୍ଥିତ ମଦନମୋହନ ମନ୍ଦିରରେ ସଂକୀର୍ତନ କରାଯାଇ ମହାତ୍ମା ଗାନ୍ଧୀ ତାଙ୍କ ଓଡିଶା ଗସ୍ତ ସମୟରେ ହରିଜନ ପଦଯାତ୍ରାରେ ଯୋଗ ଦେଇ ଗସ୍ତ କରିଥିବା ପୁରୁଣା ଜଗନ୍ନାଥ ସଡ଼କରେ ଏକ ସଂକୀର୍ତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି, କଂଗ୍ରେସ ନେତା ବେଣୁଧର ଭୋଇ, ଭାଜପା ନେତା ଶିବ ମଲ୍ଲିକ, ସରପଂଚ ଭାଗ୍ୟଧର ନନ୍ଦୀ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସମିତିର ସଂଯୋଜକ ପ୍ରବୀର ମହାନ୍ତି, ସତ୍ୟ ଜେନା, ମହାତ୍ମା ପଦଯାତ୍ରା ସ୍ମୃତି କମିଟିର ସଭ୍ୟ ଲକ୍ଷ୍ମୀଧର ବେହେରା ପ୍ରମୁଖ ବାଳକାଟି ବଜାର ପରିକ୍ରମା କରିବା ପରେ ଏହି ସଂକୀର୍ତନ ଶୋଭାଯାତ୍ରା ଗଡ଼କଂଟୁଣିଆ ସୁଦର୍ଶନ ଦାରୁପୀଠ ଦେଇ ଚଉଷଠୀ ଯୋଗିନୀ ପୀଠରେ ପହଂଚିଥିଲା । ଏହାପରେ ଟଙ୍କପାଣି ରୋଡ, ରଙ୍ଗବଜାର, ସତ୍ୟଭାମାପୁର, ଇନ୍ଦ୍ରପାଳ, ବଇଁଚୁଆ, ଭୁବନପୁର ଦେଇ ଶୋଭାଯାତ୍ରା ବାଲିଅନ୍ତା ଗାନ୍ଧୀ ପୀଠରେ ପହଂଚିଥିଲା ।
ମହାମଣ୍ଡଳୀର ବାର୍ଷିକ ମହୋତ୍ସବକୁ ପ୍ରତିକାତ୍ମକ ଭାବରେ କରାଯାଇ ସଂକୀର୍ତନ ମଣ୍ଡଳୀମାନଙ୍କୁ ଭୋଗ ଓ ପ୍ରସାଦ ଏବଂ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜ୍ୟୋତିପ୍ରଭା, ସମ୍ପାଦକ, ଆଶୁତୋଷ ସାମନ୍ତରାୟ, ପୂର୍ବତନ କର୍ପୋରେଟ ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଯୋଗଦେଇ ଡାଳଖାଇ ସଂକୀର୍ତନ ମହାମଣ୍ଡଳୀ ତରଫରୁ ହୋଇଥିବା ଜାତୀୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।