ଭୁବନେଶ୍ୱର, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଆଗମନର ସ୍ମୃତିକୁ ଜାଗରିତ କରିବା ପାଇଁ ଶ୍ରୀ ଶ୍ରୀ ମା’ ଡାଳଖାଇ ଆଞ୍ଚଳିକ ଓଡ଼ିଶୀ ସଂକୀର୍ତନ ସମିତି ତାହାର ବାର୍ଷିକ ଉତ୍ସବକୁ ନିଆରା ଢଙ୍ଗରେ ପାଳନ କରି ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଆଗମନ ଉଦ୍ଦେଶ୍ୟରେ ସମର୍ପଣ କରିଅଛି । ମଣ୍ଡଳ ତରଫରୁ ଆଜି ପ୍ରତ୍ୟୁଷରୁ ବାଳକାଟିସ୍ଥିତ ମଦନମୋହନ ମନ୍ଦିରରେ ସଂକୀର୍ତନ କରାଯାଇ ଏକ ସଂକୀର୍ତନ ଶୋଭାଯାତ୍ରା ଜାତିର ପିତା ମହାତ୍ମା ଗାନ୍ଧୀ ୧୯୩୪ ମସିହା ୧୩ ତାରିଖରେ ହରିଜନ ପଦଯାତ୍ରା ସମୟରେ ଗସ୍ତ କରିଥିବା ପୁରୁଣା ଜଗନ୍ନାଥ ସଡ଼କରେ ଏକ ସଂକୀର୍ତନ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଜୟଦେବ ବିଧାୟକ ଡଃ. ଅରବିନ୍ଦ ଢାଲି, କଂଗ୍ରେସ ନେତା ବେଣୁଧର ଭୋଇ, ଭାଜପା ନେତା ଶିବ ମଲ୍ଲିକ, ସରପଂଚ ଭାଗ୍ୟଧର ନନ୍ଦୀ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସମିତିର ସଂଯୋଜକ ପ୍ରବୀର ମହାନ୍ତି, ସତ୍ୟ ଜେନା, ମହାତ୍ମା ପଦଯାତ୍ରା ସ୍ମୃତି କମିଟିର ସଭ୍ୟ ଲକ୍ଷ୍ମୀଧର ବେହେରା ପ୍ରମୁଖ ବାଳକାଟି ବଜାର ପରିକ୍ରମା କରିବା ପରେ ଏହି ସଂକୀର୍ତନ ଶୋଭାଯାତ୍ରା ଗଡ଼କଂଟୁଣିଆ ସୁଦର୍ଶନ ଦାରୁପୀଠ ଦେଇ ଚଉଷଠୀ ଯୋଗିନୀ ପୀଠରେ ପହଂଚିଥିଲା । । ଏହି ଶୋଭଯାତ୍ରାକୁ ଜିଲ୍ଲା ପରିଷଦ ସଭ୍ୟ ଅମରେନ୍ଦୁ ପଟ୍ଟନାୟକ, ସଭ୍ୟା ଭାଗ୍ୟଲକ୍ଷ୍ମୀ ମିଶ୍ରଙ୍କ ସହିତ ଜୟଦେବ ପ୍ରେସ୍ କ୍ଲବର କର୍ମକର୍ତାମାନେ ସ୍ୱାଗତ କରିଥିଲେ । ଏହାପରେ ଟଙ୍କପାଣି ରୋଡ, ରଙ୍ଗବଜାର, ସତ୍ୟଭାମାପୁର, ଇନ୍ଦ୍ରପାଳ, ବଇଁଚୁଆ, ଭୁବନପୁର ଦେଇ ଶୋଭାଯାତ୍ରା ବାଲିଅନ୍ତା ଗାନ୍ଧୀ ପୀଠରେ ପହଂଚିଥିଲା । ମହାତ୍ମା ପଦଯାତ୍ରା କମିଟିର ସଭ୍ୟ ବିନୋଦ କୁମାର ସାହୁ, ନବୀନ ସାହୁ, ପଣ୍ଡିତ ଶ୍ରୀଧର ଦାସ, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ ଓ ଏଠାରେ ଗାନ୍ଧୀଙ୍କ ଉପରେ ରାମଧୂନ ଗାନ କରାଯାଇଥିଲା । ଏହାପରେ ହଂସପାଳ, ମଂଚେଶ୍ୱର, ପାଣ୍ଡରା, ପଳାଶୁଣି, ରସୁଲଗଡ଼, ବମିଖାଲ ଓ ଝାଡ଼ପଡ଼ା ଠାରେ ଗାନ୍ଧୀ ଶୋଭାଯାତ୍ରାକୁ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସ୍ୱାଗତ କରିଥିଲେ ।
ବର୍ତମାନ ସ୍ଥିତିରେ ସରକାରଙ୍କ ପ୍ରଦର୍ଶିତ କୋଭିଡ୍ ମାର୍ଗଦର୍ଶିକାକୁ ଅନୁପ୍ରାଳନ କରି ମହାମଣ୍ଡଳୀର ବାର୍ଷିକ ମହୋତ୍ସବକୁ ପ୍ରତିକାତ୍ମକ ଭାବରେ କରାଯାଇ ସଂକୀର୍ତନ ମଣ୍ଡଳୀମାନଙ୍କୁ ଭୋଗ ଓ ପ୍ରସାଦ ଏବଂ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଜ୍ୟୋତିପ୍ରଭା, ସମ୍ପାଦକ, ଆଶୁତୋଷ ସାମନ୍ତରାୟ, ପୂର୍ବତନ କର୍ପୋରେଟ ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଯୋଗଦେଇ ଡାଳଖାଇ ସଂକୀର୍ତନ ମହାମଣ୍ଡଳୀ ତରଫରୁ ହୋଇଥିବା ଜାତୀୟ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାଯ୍ୟକ୍ରମକୁ ମହାମଣ୍ଡଳୀର ମହନ୍ତ ଲିଙ୍ଗରାଜ ସାହୁ, ଅଧିକାରୀ ପୀତବାସ ସୁନ୍ଦରାୟ, ସାଧାରଣ ସମ୍ପାଦକ ହରିହର ପରିଡ଼ା, ଉପେନ୍ଦ୍ର ସାମନ୍ତରାୟ, ହେମନ୍ତ ପ୍ରଧାନ, ଲକ୍ଷ୍ମୀସାଗର ଗ୍ରାମବାସୀ ପ୍ରମୁଖ ପରିଚାଳନା କରିଥିଲା ବେଳେ ଲକ୍ଷେଶ୍ୱର ଆଞ୍ଚଳିକ ମହାମଣ୍ଡଳୀର ମହନ୍ତ ନଳିନୀ ସ୍ୱାଇଁ, ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ପ୍ରମୁଖ ସହଯୋଗୀ ସଭ୍ୟ ଭାବରେ ଯୋଗଦାନ କରିଥିଲେ । ପ୍ରତାପ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।