ଗଞ୍ଜାମ, ଆସନ୍ତା ୨୨ ତାରିଖରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଂଟି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଛି । ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ ବିଧାୟକ ବିକ୍ରମ ପଣ୍ଡା, ମହାନଗର ନିଗମ (ବିଇଏମସି) କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଓ ଯାତ୍ରାର ମୁଖ୍ୟ ପରିଚାଳକ ପି.ଦୁର୍ଗାପ୍ରସାଦ ଦେଶୀ ବେହେରା ଏହି ବୈଠକରେ ସାମିଲ୍ ହୋଇଥିଲେ । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ଭକ୍ତ ମହଲରେ ଖୁସିର ଲହରି ଖେଳି ଯାଇଛି । ପ୍ରଶାସନିକ ନିଷ୍ପତି ପ୍ରକାରେ ୨୨ ତାରିଖ ଅର୍ଥାତ୍ ଆସନ୍ତା କାଲି ମା ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଂଟି ସ୍ଥାପନ ହେବ । କୋଭିଡ଼୍ କଟକଣାକୁ ଅନୁପାଳନ କରି ମାତ୍ର ୭ ଦିନ ଯାତ୍ରା ଅନୁଷ୍ଠିତ ହେବ । ତେବେ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତି ସମୟରେ ଯାତ୍ରା ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କହିଛନ୍ତି ।
ପ୍ରଶାସନ ଦେଇଥିବା ୭ ଦିନର ଅବଧି ମଧ୍ୟରେ ଯାତ୍ରା ସମ୍ପନ୍ନ ହେବ ବୋଲି କହିଛନ୍ତି ଯାତ୍ରାର ମୁଖ୍ୟ ପରିଚାଳକ ଦେଶୀ ବେହେରା । ମହାନଗର ନିଗମ କମିଶନରଙ୍କ ସହ ଯାତ୍ରାର ଆୟୋଜନ ନେଇ ଆଲୋଚନା ପରେ ସେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଆସନ୍ତା କାଲି ମଧ୍ୟ ରାତ୍ରରେ ଶୁଭ ଖୁଂଟି ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।